କେନ୍ଦୁଝର ବଳଦେବଜିଉ ରଥ ଗିନିଜ୍ ବୁକରେ ସ୍ଥାନ ପାଇବା ନେଇ କ୍ଷୋଭ ପ୍ରକାଶ କଲେ ଗଜପତି
ପୁରୀ(ଆମ ଟିଭି): କେନ୍ଦୁଝର ବଳଦେବଜିଉ ରଥ ବିଶ୍ବର ଉଚ୍ଚତମ ରଥ ଭାବେ ଗିନିଜ୍ ବୁକରେ ସ୍ଥାନ ପାଇବା ନେଇ କ୍ଷୋଭ ପ୍ରକାଶ କଲେ ଗଜପତି ଦିବ୍ୟସିଂହ ଦେବ । ସେ କହିଛନ୍ତି ଯେ ପୁରୀର ରଥ ହିଁ ସବୁଠୁ ଉଚ୍ଚ ହେବା କଥା । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ମୂଳପୀଠ ହେଉଛି ପୁରୀ। କିନ୍ତୁ କେନ୍ଦୁଝର ରଥର ଉଚ୍ଚତା ପୁରୀଠାରୁ ଅଧିକ କରାଯାଉଥିବାରୁ ଏହା ଜଗନ୍ନାଥ ପରମ୍ପରା ପ୍ରତି କୁଠାରଘାତ । ତେଣୁ ସେଠାକାର ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ଏଥିପ୍ରତି ଯତ୍ନବାନ ହେବା ଜରୁରୀ ବୋଲି ଗଜପତି କହିଛନ୍ତି। ପୁରୀରେ ନନ୍ଦିଘୋଷ ରଥର ଉଚ୍ଚା ୪୪ ଫୁଟ ହୋଇଥିବା ବେଳେ କେନ୍ଦୁଝର ରଥର ଉଚ୍ଚତା ୭୨ ଫୁଟ ଓ ଏଥିରେ ୧୬ ଚକ ରହିଥାଏ । ରଥର ଗୋଲେଇ ୪୫ ଫୁଟ ହୋଇଥାଏ । ଏହି ରଥରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରା ଯାତ୍ରା କରିଥାନ୍ତି । ବିଶ୍ବର ଉଚ୍ଚତମ ରଥ ଭାବେ ଏହା ଗିନିଜ ବୁକ୍ ରେକର୍ଡସରେ ସ୍ଥାନ ପାଇଛି ।
୨୦୧୮ ମସିହାରେ କେନ୍ଦୁଝର ବଳଦେବ ଜିଉଙ୍କ ରଥ ବିଶ୍ବର ସବୁଠାରୁ ବଡ଼ ଜଗନ୍ନାଥ ରଥ ବୋଲି ଗ୍ଲୋବାଲ ରେକର୍ଡସ ଆଣ୍ଡ ରିସର୍ଚ ଫାଉଣ୍ଡେସନ ଘୋଷଣା କରିଥିଲା । ଏଥିସହିତ ଏସିଆ ପେସିଫିକ୍ ରେକର୍ଡସ ଓ ଇଣ୍ଡିଆନ ନ୍ୟାସନାଲ୍ ରେକର୍ଡସ ସଂସ୍ଥା ମଧ୍ୟ ଏହାକୁ ସର୍ବୋଚ୍ଚ ରଥର ମାନ୍ୟତା ଦେଇଥିଲା । ଏହା ପୁରୀର ରଥଠାରୁ ଉଚ୍ଚ ବୋଲି ସମ୍ପୃକ୍ତ ସଂସ୍ଥା କହିଥିଲେ।