ଥିରୁଭନନ୍ତପୁରମ (ଆମ ଟିଭି): କେରଳ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଏହାରି ଭିତରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧ । ରାଜନୈତିକ ମାମଲାରେ ମୋର ହସ୍ତକ୍ଷେପ ନେଇ ଯଦି ଗୋଟିଏ ପ୍ରମାଣ ଦେବେ ତେବେ ମୁଁ ଇସ୍ତଫା ଦେବି। ଆଜି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କୁ ଏମିତି ଚ୍ୟାଲେଞ୍ଜ ଦେଇଛନ୍ତି ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ। ମୁଖ୍ୟମନ୍ତ୍ରୀ ଗୋଟିଏ ବି ଉଦାହରଣ ଦେଲେ ମୁଁ ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ଦେବି ବୋଲି ଆରିଫ ଖାନ କହିଛନ୍ତି। ୟୁନିଭର୍ସିଟିଗୁଡ଼ିକରେ କୂଳପତି ନିଯୁକ୍ତି ଘଟଣାକୁ ନେଇ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ରାଜନୈତିକ ମାମଲାରେ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ। ଏଜି ଏହାର ଏଭଳି ଉତ୍ତର ରଖିଛନ୍ତି ରାଜ୍ୟପାଳ।
ରାଜ୍ୟପାଳ କହିଛନ୍ତି “ଆର୍ଏସ୍ଏସ୍ ଲୋକଙ୍କୁ ଆଣିବାକୁ ମୁଁ ଏପରି କରୁଛି ବୋଲି ସେମାନେ ବାରମ୍ବାର ଅଭିଯୋଗ ଆଣିଛନ୍ତି। କିନ୍ତୁ ଯଦି ମୁଁ ମୋ ପାୱାର ବ୍ୟବହାର କରି ନା କେବଳ ଆର୍ଏସ୍ଏସ୍ ଅନ୍ୟ କୌଣସି ଲୋକଙ୍କୁ ନିଯୁକ୍ତି ଦେଇଥିବି ତେବେ ମୁଁ ଇସ୍ତଫା ଦେବି। ଆଉ ଯଦି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗକୁ ପ୍ରମାଣିତ କରି ନ ପାରିଲେ ତେବେ କଣ ସେ ଇସ୍ତଫା ଦେବାକୁ ରାଜି ହେବେ ?”କେରଳ ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଚ୍ୟାଲେଞ୍ଜ ଦେଇଛନ୍ତି ରାଜ୍ୟପାଳ। ସେହିପରି ଗୋଲ୍ଡ ସ୍ମଗଲିଂ ସ୍କାମ୍ ବିଷୟରେ ମଧ୍ୟ ପିନରାୟୀ ବିଜୟନଙ୍କୁ ଟାର୍ଗେଟ୍ କରିଛନ୍ତି ଆରିଫ ଖାନ। ସେ କହିଛନ୍ତି “ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ସ୍ମଗଲିଂ କାରବାର ପୃଷ୍ଠପୋଷକତା କରାଯାଉଥିଲା। ଯଦି ରାଜ୍ୟ ସରକାର, ସିଏମ୍ଓ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟତର ଲୋକେ ସ୍ମଗଲିଂ କାର୍ୟ୍ୟରେ ଲିପ୍ତ ରହିବେ ତେବେ ମୋର ହସ୍ତକ୍ଷେପ କରିବା ପ୍ରଯୁଜ୍ୟ।”