ନୂଆଦିଲ୍ଲୀ (ଆମ ଟିଭି): ଦି କେରଳ ଷ୍ଟୋରୀ ଫିଲ୍ମକୁ ନେଇ ସାରା ଦେଶରେ ବିବାଦ ଲାଗି ରହିଛି । କେଉଁଠି ଏହାକୁ ବିରୋଧ କରାଯାଉଛି ତ ଆଉ କେଉଁଠି ଏହାକୁ ସ୍ଵାଗତ କରାଯାଉଛି। ଏହାରି ଭିତରେ, ଏହି ଫିଲ୍ମ ବିରୋଧରେ ଆଗତ କେତେକ ପିଟିସନର ଶୁଣାଣି କରିବା ସମୟରେ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ସେ କହିଛନ୍ତି ଯେ ପ୍ରଥମେ ସେମାନେ ( ସେ ଓ ଅନ୍ୟ ବିଚାରପତି) ଫିଲ୍ମଟିକୁ ଦେଖିବେ ଓ ପରେ ନିଷ୍ପତ୍ତି ନେବେ ।
ତାଙ୍କ ଅଧ୍ୟକ୍ଷତାରେ ଥିବା ଖଣ୍ଡପୀଠ କହିଛନ୍ତି ଯେ ଦେଶରେ ଅଭିବ୍ୟକ୍ତିର ସ୍ୱାଧୀନତା ସୁରକ୍ଷିତ ରହିବ, କିନ୍ତୁ କୌଣସି ସମ୍ପ୍ରଦାୟକୁ ବଦନାମ କରିବାକୁ ଅନୁମତି ନାହିଁ। ଚଳଚ୍ଚିତ୍ରର ସ୍କ୍ରିପ୍ଟ ଇସ୍ଲାମୋଫୋବିକ ଏବଂ ମୁସଲମାନ ସମ୍ପ୍ରଦାୟକୁ ଅପମାନିତ କରିଛି ବୋଲି ଅଦାଲତଙ୍କୁ କୁହାଯିବା ପରେ ଖଣ୍ଡପୀଠଙ୍କ ପକ୍ଷରୁ ଏହି ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏହି ଖଣ୍ଡପୀଠରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ ନରସିଂହ ଏବଂ ଜଷ୍ଟିସ ଜେବି ପାର୍ଦିୱାଲା ସାମିଲ ଥିଲେ । ଖଣ୍ଡପୀଠ ଚଳଚ୍ଚିତ୍ର ନିର୍ମାତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ସମେତ ଅନ୍ୟାନ୍ୟ ଆବେଦନର ଶୁଣାଣି କରିଥିଲେ।