ଆପତ୍ତିଜନକ ପୋଷ୍ଟକୁ ନେଇ ଏମିତି କହିଲେ ସୁପ୍ରିମ କୋର୍ଟ

0

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟ ବୁଧବାର ଏକ ରାୟରେ କହିଛନ୍ତି ଯେ ସୂଚନା ପ୍ରଯୁକ୍ତି ଆଇନ-୨୦୦୦ର ଧାରା ୬୬ଏ ଅଧୀନରେ କୌଣସି ନାଗରିକ ବିରୋଧରେ ମାମଲା ରୁଜୁ କରାଯାଇପାରିବ ନାହିଁ, କାରଣ ୨୦୧୫ ମସିହାରେ ଏହାକୁ ରଦ୍ଦ ଦିଆଯାଇଥିଲା। ରଦ୍ଦ ହୋଇଥିବା ଧାରା ଅନୁସାରେ ପୂର୍ବରୁ ଆପତ୍ତିଜନକ ବିଷୟବସ୍ତୁ ପୋଷ୍ଟ କରିବା ପାଇଁ ଜରିମାନା ସହ ତିନିବର୍ଷ ପର୍ଯ୍ୟନ୍ତ ଜେଲର ବ୍ୟବସ୍ଥା ଥିଲା।

ସ୍ବାଧୀନ ମତ ପ୍ରକାଶ କରିବା ଅଧିକାର ଉପରେ ଗୁରୁତ୍ବ ଆରୋପ କରି ୨୦୧୫ ମାର୍ଚ୍ଚ ୨୪ ତାରିଖରେ ସୁପ୍ରିମ୍‌କୋର୍ଟ ଉକ୍ତ ବ୍ୟବସ୍ଥାଟିକୁ ଉଠାଇ ଦେଇଥିଲେ। ପ୍ରଧାନବିଚାରପତି ୟୁୟୁ ଲଳିତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଲେ ଯେ, ଧାରା ୬୬-ଏର ଉଲ୍ଲଂଘନ ପାଇଁ ଏବେ ଦେଶରେ ଯେଉଁମାନଙ୍କ ନାମରେ ମାମଲା ଚାଲିଛି ସେମାନଙ୍କ ମାମଲାଗୁଡ଼ିକୁ ତୁରନ୍ତ ବନ୍ଦ କରାଯାଉ। ଏଥି ସହ ଜଷ୍ଟିସ୍ ଅଜୟ ରସ୍ତୋଗି ଓ ଏସ୍‌ଆର୍ ଭଟ୍ଟ ମଧ୍ୟ ଅନ୍ୟତମ ବିଚାରପତି ଥିବା ଖଣ୍ଡପୀଠ କହିଥିଲେ- ଆମେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ପୁଲିସ ଡିଜି ଓ ଗୃହ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଉଛୁ ଯେ ସେମାନେ ଧାରା ୬୬-ଏ ଅନୁଯାୟୀ ଦାଏର କରାଯାଇଥିବା ସମସ୍ତ ମାମଲା ଖାରଜ କରିବା ପାଇଁ ସମଗ୍ର ପୁଲିସ ବଳଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ତେବେ ଯଦି କାହା ବିରୋଧରେ ଧାରା ୬୬-ଏ ସମେତ ଅନ୍ୟ ଧାରା ଅନୁଯାୟୀ ବି ମାମଲା ଥିବ ତେବେ ସେଥିରୁ କେବଳ ୬୬-ଏ ଅଧୀନ ମାମଲାକୁ ବାଦ୍ ଦେଇ ଅନ୍ୟ ମାମଲା କାଏମ୍ ରଖାଯିବ ବୋଲି ଖଣ୍ଡପୀଠ କହିଥିଲେ।

Leave A Reply

Your email address will not be published.