ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଏମିତି କହିଲେ ଖାର୍ଗେ
ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ବିରୋଧୀ ଦଳ କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହି ପ୍ରସଙ୍ଗରେ ଆଜି ବିରୋଧୀ ସାଂସଦଙ୍କ ଏକ ପ୍ରତିନିଧି ଦଳ ମଣିପୁର ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧି ଦଳରେ ବିଭିନ୍ନ ବିରୋଧୀ ଦଳର ମୋଟ ୨୧ ନେତା ସାମିଲ ହୋଇଥିଲେ। ରାଷ୍ଟ୍ରପତିଙ୍କୁ ଭେଟିବା ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ମଣିପୁର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରାଯାଇଛି, ରାଷ୍ଟ୍ରପତି ଏହାକୁ ନିଶ୍ଚିତ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଆମେ ରାଷ୍ଟ୍ରପତିଙ୍କୁ ଭେଟି ମଣିପୁରରେ ଘଟୁଥିବା ଘଟଣା ଉପରେ ଆଲୋଚନା କରିଛୁ। ଇ-ଣ୍ଡି-ଆ ମେଣ୍ଟର ସମସ୍ତ ସାଂସଦ ରାଷ୍ଟ୍ରପତିଙ୍କୁ ଭେଟି ମଣିପୁର ବିଷୟରେ ସୂଚନା ଦେଇଥିଲେ। ଏହି ସମୟରେ ଖଡ଼ଗେ ପୁଣିଥରେ ଦୋହରାଇଥିଲେ ଯେ ତାଙ୍କୁ ସଂସଦରେ କହିବାକୁ ଦିଆଯାଉନାହିଁ।
ସେ କହିଛନ୍ତି ଯେ ମୁଁ କିଛି କହିବାବେଳକୁ ମୋର ମାଇକ୍ ସୁଇଚ୍ ଅଫ୍ ହୋଇଯାଉଛି | ମୁଁ ଜାଣେ ନାହିଁ ଯେତେବେଳେ ମୁଁ କିଛି କହିବାକୁ ଚାଁହୁଛି, ମୋର ମାଇକ୍ ଦୁଇ ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯାଉଛି | ଖଡ଼ଗେ ଆହୁରି କହିଛନ୍ତି, ବାଚସ୍ପତି ନିଶ୍ଚିତ କରି କହିଥିଲେ ଯେ ଶାସକ ଦଳକୁ ଯେତିକି ଗୁରୁତ୍ୱ ଦିଆଯାଉଛି, ବିରୋଧୀ ଦଳକୁ ମଧ୍ୟ ସେତିକି ଗୁରୁତ୍ୱ ଦେଉଛନ୍ତି, କିନ୍ତୁ ମୋତେ କାହିଁକି କହିବାକୁ ଅନୁମତି ଦିଆଯାଉ ନାହିଁ ତାହା ଜାଣେ ନାହିଁ। ମୋ ମାଇକ୍ ବନ୍ଦ କରିଦିଆଯାଉଛି |