ଜାଣନ୍ତୁ କେବେ ଭାରତ ପାକ ଲଢେଇ

0

ଆସନ୍ତା ଦିନିକିଆ ବିଶ୍ୱକପ ୨୦୨୩ର ସବୁଠାରୁ ହାଇଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚ୍‌ର ତାରିଖ ବଦଳିବ। ବିସିସିଆଇ ଓ ଆଇସିସି ମିଳିତ ଭାବେ ବିଶ୍ୱକପ ମ୍ୟାଚ୍‌ ସୂଚୀ ଜାରି କରିବା ବେଳେ ଏହି ମହାମୁକାବିଲା ଅକ୍ଟୋବର ୧୫ରେ ହେବ ବୋଲି କହିଥିଲେ।

କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହାକୁ ଦିନକ ଆଗରୁ ଅର୍ଥାତ ଅକ୍ଟୋବର ୧୪ରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଆଜି ହିଁ ବିସିସିଆଇ ସମ୍ପାଦକ ଜୟ ଶାହ ଏ ବିଷୟରେ ବିଧିବଦ୍ଧ ଭାବେ ଘୋଷଣା କରିବେ।

କେବଳ ଭାରତ-ପାକ ମ୍ୟାଚ୍‌ ନୁହେଁ, ବିଶ୍ୱକପର ଆଉ କିଛି ମ୍ୟାଚ୍‌ର ତାରିଖ ଓ ସମୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏସବୁ କଥା ଆଜି ସନ୍ଧ୍ୟା ସୁଦ୍ଧା ଜୟ ଶାହଙ୍କ ଘୋଷଣା ପରେ ସ୍ପଷ୍ଟ ହୋଇଯିବ।

ଗତ ସପ୍ତାହରେ ବିସିସିଆଇ ସମ୍ପାଦକ ଜୟ ଶାହ କହିଥିଲେ ଯେ ଦିନିକିଆ ବିଶ୍ୱକପର ସୂଚୀ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। କାରଣ ସୂଚୀରେ ପରିବର୍ତ୍ତନ କରିବାକୁ ୩ଟି ବୋର୍ଡ ଆଇସିସିକୁ ଚିଠି କରିଛନ୍ତି। କେବଳ ମ୍ୟାଚ ତାରିଖ ଓ ସମୟରେ ପରିବର୍ତ୍ତନ କରାଯିବ। ବାକି କେଉଁଥିରେ ପରିବର୍ତ୍ତନ ହେବନି ବୋଲି ଜୟ ଶାହ କହିଥିଲେ। ତେବେ ପରିବର୍ତ୍ତନ ପାଇଁ କେଉଁ ୩ ବୋର୍ଡ ଚିଠି ଲେଖିଥିଲେ, ସେକଥା ଜୟ ଶାହ କହି ନଥିଲେ।

ଏସବୁ ଭିତରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଧାର୍ଯ୍ୟ ତାରିଖ ଠାରୁ ଗୋଟିଏ ଦିନ ପୂର୍ବରୁ ହେବ ବୋଲି ଜଣାପଡ଼ିଛି। ଏହି ହାଇଭୋଲଟେଜ ମ୍ୟାଚ୍‌ଟି ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଅକ୍ଟୋବର ୧୫ରେ ମ୍ୟାଚ୍‌ ହେବାକୁ ନିଷ୍ପତ୍ତି ହୋଇଥିବାରୁ ସ୍ଥାନୀୟ ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ ଆରମ୍ଭ କରିଥିଲା।

ତେବେ ଅକ୍ଟୋବର ୧୫ରେ ନବରାତ୍ରୀ ପଡ଼ୁଥିବାରୁ ଗୁଜରାଟରେ ପ୍ରବଳ ଭିଡ଼ର ସମ୍ଭାବନା ରହିଛି। ସେହିପରି ଭାରତ-ପାକ୍‌ ଲଢ଼େଇ ଥିବାରୁ ଅଧିକରୁ ଅଧିକ ଲୋକ ମ୍ୟାଚ୍‌ ଦେଖିବାକୁ ଆସିବେ। ଏତେ ସଂଖ୍ୟକ ଲୋକଙ୍କୁ ଗୋଟିଏ ଦିନରେ ଉପଯୁକ୍ତ ସୁରକ୍ଷା ଯୋଗାଇ ସ୍ଥିତକୁ ନିୟନ୍ତ୍ରଣ କରିବା ସମ୍ଭବ ପର ହେବନି ବୋଲି ପୁଲିସ୍‌ ଆଶଙ୍କା କରିଥିଲା।

Leave A Reply

Your email address will not be published.