ଫିରିଙ୍ଗିଆ(ଆମ ଟିଭି): ଫିରିଙ୍ଗିଆ ଥାନାରେ ଘଟିଥିବା ଲଙ୍କାକାଣ୍ଡକୁ ନେଇ ଏକ ବଡ଼ ଆକ୍ସନ ସାମ୍ନାକୁ ଆସିଛି । ପୁଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ଘଟଣାରେ ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଏହି ମାମଲାରେ ୨ ହୋମଗାର୍ଡଙ୍କୁ କାର୍ୟ୍ୟରୁ ଅନ୍ତର କରାଯାଇଛି।
ଗତକାଲି କିଛି ଉତ୍ତ୍ୟକ୍ତ ଲୋକ ଫିରିଙ୍ଗିଆ ଥାନା ଉପରେ ଆକ୍ରମଣ କରିଥିଲେ । ଥାନା ଅଧିକାରୀ ଓ ତାଙ୍କ ୨ ସହଯୋଗୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରି ଥାନା ପରିସରରେ ଯାହା ପାଇଲେ ଜାଳିଲେ। ଦୁଇଦିନ ଧରି ଏହି ପ୍ରସଙ୍ଗରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପରିସ୍ଥିତି ଆଜି ହିଂସାତ୍ମକ ମୋଡ଼ ନେଇଥିଲା। ଶତାଧିକ ଲୋକ ଥାନା ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହ ମାଲ୍ଖାନାରେ ଗଚ୍ଛିତ ଗଞ୍ଜେଇ ବାହାରେ ଗଦାକରି ନିଆଁ ଲଗାଇ ଦେଇଥିଲେ। ଏହାସହ ଜବତ ଗାଡ଼ିଗୁଡ଼ିକରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଉତ୍ତ୍ୟକ୍ତ ଲୋକେ ଥାନାରୁ କିଛି ବନ୍ଧୁକ ମଧ୍ୟ ଲୁଟି ନେଇଥିବା ପୁଲିସ କହିଛି। କିଛି ସମୟ ପାଇଁ ଥାନା ପରିସରରେ ନିଆଁ ହୁତ୍ ହୁତ୍ ହୋଇ ଜଳିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।