ଭୁବନେଶ୍ୱର (ଆମ ଟିଭି): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ଟିଆଇ ପରେଡ୍ ପାଇଁ ଆବେଦନ କରିଛି ପୁଲିସ । ଆଜି ଏସ୍ଡିଜେଏମ କୋର୍ଟରେ ଏହି ମାମଲାର ଶୁଣାଣି ରହିଛି । ମାମଲାର ତଦନ୍ତକାରୀ ଅଧିକାରୀ ଏସ୍ଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଏନେଇ କୋର୍ଟରେ ଆବେଦନ କରିଥିଲେ । ମୋଟ ୮ ଜଣଙ୍କର ଟିଆଇ ପରେଡ ଲାଗି ଆବେଦନ କରିଛି ପୁଲିସ ।
ସୁଟର କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ ସହ ବିହାରୀ ସୁଟର ଶିଶୁପାଳ ପାଶୱାନ ଓ କୁନ୍ଦନ କୁମାରଙ୍କ ଟିଆଇ ପରେଡ ହେବ । ସେହିପରି ସୁଟର ଯୋଗାଡ଼ କରିଥିବା ଯୋଗୀ ରାଉତ, ଉମା ବିଷୋୟୀ, ସିମାଞ୍ଚଳ ନାୟକ ଓ ବିପିନ ସ୍ୱାଇଁଙ୍କ ଟିଆଇ ପରେଡ ଲାଗି ଆବେଦନ ହୋଇଛି । ଯଦି କୋର୍ଟ ଟିଆଇ ପରେଡକୁ ଅନୁମତି ଦେଉଛନ୍ତି, ତେବେ ବ୍ରହ୍ମପୁର ଜେଲରେ ଏହା କରାଯାଇପାରେ ।
ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ବିବାଦୀୟ ବୟାନ୍ ଦେବା ପ୍ରସଙ୍ଗରେ ଅବଶେଷରେ ହାଇକୋର୍ଟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି ବ୍ରହ୍ମପୁର ଏସପି ଡାକ୍ତର ଶରବଣା ବିବେକ । ଏହାପରେ ତାଙ୍କ ବିରୁଦ୍ଧରେ ଅଦାଲତ ମାମଲା ନ ଚଳାଇବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।