ବିଜେପି ଟିକେଟରୁ ଲଢ଼ିବେ କଂଗ୍ରେସ ଛାଡିଥିବା ନେତା

0

ଗାନ୍ଧିନଗର: କଂଗ୍ରେସରୁ ଆମଦାନୀ ହୋଇଥିବା ଏକାଧିକ ନେତାଙ୍କୁ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଟିକେଟ ଦେବ। ଏହି ତାଲିକାରେ ସବଠାରୁ ଆଗରେ ଅଛନ୍ତି ୨୯ ବର୍ଷୀୟ ହାର୍ଦ୍ଦିକ ପଟେଲ। ଏକଦା ବିଜେପି ସରକାର ବିରୋଧରେ ପିଟିଦାର ଲୋକଙ୍କୁ ନେଇ ଆନ୍ଦୋଳନ କରୁଥିବା ହାର୍ଦ୍ଦିକ ପରବର୍ତ୍ତୀ ଅବସ୍ଥାରେ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହୋଇଥିଲେ। ନିକଟରେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି ।

ତାଙ୍କୁ ଏଥର ବିଧାନସଭା ନିର୍ବାଚନରେ ବିଜେପି ବୀରମଗାମ ଆସନରୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି। ସେହିପରି କଂଗ୍ରେସରୁ ଆସିଥିବା ଅଳ୍ପେଶ ଠାକୁର ମଧ୍ୟ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ। ଶ୍ରୀ ଠାକୁର ମଧ୍ୟ ସଂରକ୍ଷଣ ପାଇଁ ଏକଦା ବିଜେପି ସରକାର ବିରୋଧରେ ଆନ୍ଦୋଳନ କରୁଥିଲେ। ଠାକୁର ବିଜେପି ଟିକେଟରେ ଉପ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। କିନ୍ତୁ ଏଥର ବି ସେ ଟିକେଟ ପାଇବାର ସମ୍ଭାବନା ରହିଛି।

କେବଳ ଏହି ଦୁଇ ନେତା ନୁହନ୍ତି, ୨୦୧୭ ବିଧାନସଭା ନିର୍ବାଚନ ପରଠାରୁ ଇତି ମଧ୍ୟରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ପ୍ରାୟ ୩୫ ଜଣ ରାଜନେତା ପଦ୍ମ ଦଳର ଟିକେଟ ପାଇଁ ଆଶାୟୀ ରହିଛନ୍ତି। କିଛି ରାଜନୀତିକ ପଣ୍ଡିତଙ୍କ ମତରେ ବିଜେପି ପାଇଁ ଏଥର ଗୁଜରାଟ ବିଧାନସଭା ନିର୍ବାଚନ ସମ୍ମାନର ଲଢ଼େଇ ହୋଇଛି।

ତେଣୁ ଦଳ ପ୍ରାୟ ୪୦ ଜଣ ଆମଦାନୀ ନେତାଙ୍କୁ ଟିକେଟ ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ଅନେକ ପୂର୍ବତନ କଂଗ୍ରେସ ନେତାଙ୍କ ଘର ବିଜେପି ପାଲଟିଛି। ଏମାନଙ୍କ ମଧ୍ୟରୁ କିଛି ନେତା ଉପ ନିର୍ବାଚନରେ ବିଜେପି ଟିକେଟରୁ ଜିତି ବିଧାୟକ ମଧ୍ୟ ହୋଇଛନ୍ତି। ସେମାନେ ପୁଣିଥରେ ଏଥର ବିଜେପିରୁ ଟିକେଟ ପାଇବା ଆଶାରେ ରହିଛନ୍ତି।

କୁନଭାରଜି ବାଭାଲିୟା ୫ଥରର ବିଧାୟକ ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସୋମଭାଇ କୋଲି ପଟେଲ ସୁରେନ୍ଦ୍ରନଗରରୁ ଲୋକସଭା ନିର୍ବାଚନ ଜିତିଛନ୍ତି ଓ ସେ ଲିମ୍ବଡି ବିଧାନସଭା ଆସନରୁ ଦୁଇଥର ଜିତିଥିଲା। ବ୍ରିଜେଶ ମେରାଜ ମୋର୍ବି ଆସନରୁ ବିଜେପି ଟିକେଟ ପାଇବା ଲୋଭରା ରହିଛନ୍ତି।

Leave A Reply

Your email address will not be published.