ଭୁବନେଶ୍ୱର (ଆମ ଟିଭି): ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ । ବାଲେଶ୍ୱରରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ୍। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ବାଲେଶ୍ବର ଜିଲ୍ଲାପାଳ। ସେହିପରି ଗଞ୍ଜାମରେ ୨୫ରୁ ୩୦ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିବା ଉପରେ କଟକଣା ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବା ମନା । ମାଲକାନଗିରିରେ ୨୭ରୁ ୩୦ ପର୍ଯ୍ୟନ୍ତ ଛୁଟି ବାତିଲ କଲେ ଜିଲ୍ଲାପାଳ । କୋରାପୁଟରେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କଲେ ଜିଲ୍ଲାପାଳ । ସେହିପରି କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ ହୋଇଛି ।
ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ନେଇ ଏବେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ବାତ୍ୟା ନେଇ ସମସ୍ତ ପ୍ରସ୍ତୁତି ହୋଇଥିବା ବେଳେ ଆର୍ଲଟରେ ରହିଛି ସବୁ ବିଭାଗ । ଏହାରି ଭିତରେ ଆସୁଥିବା ଘୂର୍ଣ୍ଣିଝଡ଼ ମୋନ୍ଥାର ଗମ୍ଭୀରତାକୁ ଦେଖି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଗାମୀ ଉପନିର୍ବାଚନ ପାଇଁ ନୂଆପଡ଼ା ଜିଲ୍ଲାକୁ ତାଙ୍କର ନିର୍ଦ୍ଧାରିତ ଗସ୍ତ ବାତିଲ କରିଛନ୍ତି।
ସେହିପରି ଉପନିର୍ବାଚନ ପୂର୍ବରୁ ସମର୍ଥନ ସଂଗ୍ରହ କରିବାକୁ ପ୍ରସ୍ତୁତ ହୋଇଥିବା ମନ୍ତ୍ରୀ ସୁରେଶ ପୂଜାରୀ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ର ଏକ ଜରୁରୀକାଳୀନ ବୈଠକର ଅଧ୍ୟକ୍ଷତା କରିବା ପାଇଁ ତାଙ୍କର ଗସ୍ତ ବାତିଲ୍ କରିଛନ୍ତି । ସମ୍ଭାବ୍ୟ ବାତ୍ୟା କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ସହିତ ପବନ ଆଶଙ୍କା ରହିଛି । ଯାହା କେତେକ ଜିଲ୍ଲାରେ ବନ୍ୟା ଓ ଭୂସ୍ଖଳନର ସମ୍ଭାବନା ସୃଷ୍ଟି କରିପାରେ । ତଳିଆ ଅଞ୍ଚଳରୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି କରାଯାଇଛି । ବାତ୍ୟା ଆଶ୍ରୟ ସ୍ଥଳୀ, ରିଲିଫ ସେଣ୍ଟର ପ୍ରସ୍ତୁତ ରଖାଯାଇଛି ।