ତେଜସ୍ଵୀ ଯାଦବଙ୍କୁ ବିହାରୀ ଝିଅର ଚିଠି, ଜାଣନ୍ତୁ କାହିଁକି
ପାଟନା: ‘ଆଫେୟାର୍ସ’ ବୟସରେ ମୁଁ ‘କରେଣ୍ଟ୍ ଆଫେୟାର୍ସ’ ପଢୁଛି ବୋଲି ଉଲ୍ଲେଖ କରି ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ନାଁରେ ଜଣେ ବିହାରୀ ଝିଅ ଲେଖିଥିବା ଚିଠି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି।ଏହି ଚିଠିରେ ପିଙ୍କି ନାମକ ସେ ଝିଅଟି ବେକାରୀ ସମସ୍ୟା ଓ ସେଥିପ୍ରତି ବିହାର ସରକାରଙ୍କ ବ୍ୟବସ୍ଥାକୁ ବିଦ୍ରୂପ କରିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କୁ ସେ ସୂଚାଇଛନ୍ତି ଯେ, ବେକାର ହୋଇଥିବାରୁ ‘ଭାଲେଣ୍ଟାଇନ୍ ଡେ’ରେ ସେ ଏକା ଏକା ବୁଲିବେ।
ଚିଠିର ପ୍ରାରମ୍ଭରେ ସେ ଲେଖିଛନ୍ତି, ଆପଣ ଜାଣନ୍ତି ମୁଁ ଖୁବ୍ ଚିନ୍ତାରେ ପଡ଼ିଛି। ଆପଣ ବୈବାହିକ ଜୀବନ ବିତାଉଛନ୍ତି, କିନ୍ତୁ ମୁଁ ବେକାରୀ ସମସ୍ୟାର ସମ୍ମୁଖୀନ ହୋଇଛି। ଚାରି ବର୍ଷ ହେବ ପ୍ରଭାତ ବନ୍ଧୁଲ୍ୟାଙ୍କୁ ମୁଁ ଏକତରଫା ପ୍ରେମ କରୁଛି। (ସୂଚନାଯୋଗ୍ୟ, ପ୍ରଭାତ ବନ୍ଧୁଲ୍ୟା ହେଉଛନ୍ତି ‘ଟିଭି’ ସିରିଏଲ୍ ଏବଂ ‘ବନାରସ ୱାଇ ଇଶ୍କ୍’ର ଲେଖକ) । ‘ଆଫେୟାର୍’ ବୟସରେ ମୁଁ ‘କରେଣ୍ଟ୍ ଆଫେୟାର୍ସ’ ପଢୁଛି। ଚାକିରି ଖଣ୍ଡେ ପାଇଲେ ତାଙ୍କୁ ‘ପ୍ରପୋଜ୍’ କରନ୍ତି, କିନ୍ତୁ ଚାକିରି ମିଳୁ ନାହିଁ।
ସେ ଆହୁରି ମଧ୍ୟ ଲେଖିଛନ୍ତି, ସରକାରୀ ଚାକିରି ବାହାରୁ ନାହିଁ। ଯଦି ବାହାରୁଛି, ତୁରନ୍ତ ପରୀକ୍ଷା ପେପର୍ ‘ଲିକ୍’ ହୋଇଯାଉଛି। ଏଭଳି ପରିସ୍ଥିତିରେ ଏବର୍ଷ ‘ଭାଲେଣ୍ଟାଇନ୍ ଡେ’ ଚାଲିଯିବ ଆଉ ମୁଁ ଏକେଲା ରହିଥିବି। ତେଣେ, ମୋ ବାପା ବାହାଘର ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ମୁଁ ଚାକିରି ପାଇଁ ପରୀକ୍ଷା ଦେବା ଲାଗି ପ୍ରସ୍ତୁତି କରୁଛି।