ଭୁବନେଶ୍ବର (ଆମ ଟିଭି): ଏଣିକି କାଚ ବୋତଲରେ ମିଳିବ ନାହିଁ ମଦ । ପ୍ୟାକେଟର ରୂପ ବଦଳି ଟେଟ୍ରା ପ୍ୟାକରେ ଆସିବ ମଦ । ଏହି ନୂତନ ପ୍ୟାକେଜିଂ ସିସ୍ଟମ ଅନେକ ରାଜ୍ୟରେ ପ୍ରଚଳିତ ଅଛି । ଓଡ଼ିଶାରେ ମଧ୍ୟ ଏହି ସିସ୍ଟମ ଆରମ୍ଭ ହେବ । କାରଣ ଏହାକୁ ପରିବେଶ ସୁରକ୍ଷା ପାଇଁ ଅଧିକ ସହାୟକ ବୋଲି ବିବେଚନା କରାଯାଉଛି ।
ଟେଟ୍ରା ପ୍ୟାକ ମଦ ପ୍ୟାକେଜିଂ ସିସ୍ଟମ ଏକ ନୂତନ ପ୍ରଯୁକ୍ତି । ଏହି ସିସ୍ଟମରେ ମଦ ପ୍ୟାକେଟ କାଚ ବୋତଲ ଅପେକ୍ଷା ଅଧିକ ସୁରକ୍ଷିତ ଓ ସ୍ବଚ୍ଛ ରହିବ । ଏହା ମଧ୍ୟ କାଚ ବୋତଲ ଅପେକ୍ଷା ଅଧିକ ସୁବିଧାଜନକ ହୋଇପାରିବ । ଓଡ଼ିଶା ସରକାର ଏହି ନୂତନ ପ୍ୟାକେଜିଂ ସିସ୍ଟମ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ରାଜ୍ୟରେ ମଦ ପ୍ୟାକିଂକୁ ନେଇ ଏହି ବଡ଼ ସୂଚନା ଦେଇଛନ୍ତି ।
ହରିଚନ୍ଦନ ପୁଣି କହିଛନ୍ତି ଯେ, ଓଡ଼ିଶାରେ ମଦ ବିକ୍ରି କ୍ରମାଗତ ଭାବେ ବଢ଼ି ଚାଲିଛି । ଗତ ୧୦ ମାସରେ ରାଜ୍ୟବାସୀ ୬ ହଜାର ୫୬୯ କୋଟି ଟଙ୍କାର ମଦ ପିଇଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ମଦ ବିକ୍ରିରୁ ୭ ହଜାର ୨୧ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ, ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ୮ ହଜାର ୧୯୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।