ପୁରୀ (ଆମ ଟିଭି): ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ଫାଇଲ୍ । ଶ୍ରୀମନ୍ଦିର ପ୍ରଶାସନର ହଜିଯାଇଥିବା ଫାଇଲ ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଆଇନ ବିଭାଗର ପ୍ରମୁଖ ସଚିବ । ଜେଟିଏର ଦୁଇଟି ଫାଇଲ ପାଉନଥିଲା ରାଜ୍ୟ ଆଇନ ବିଭାଗ । ହଜିଯାଇଥିବା ଫାଇଲକୁ ଖୋଜି ବାହାର କରିବାକୁ ବିଭାଗର ସମସ୍ତ ସେକ୍ସନକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଗକୁ ଓଡିଶା ହାଇକୋର୍ଟରେ ଶ୍ରୀମନ୍ଦିର ମାମଲାରେ ଶୁଣାଣି ହେବାକୁ ଅଛି । ତା ପୂର୍ବରୁ ଏଭଳି ଫାଇଲ ହଜିବା ନୂଆ ସମସ୍ୟା ସୃଷ୍ଟି କରିଥିଲା । ତେବେ ଆଇନ ବିଭାଗ ଅବହେଳା ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ ହୋଇଥିଲା । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜୋରଦାର ଦାବି ହୋଇଥିଲା । ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗତକାଲି କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ଆଉ ଏହାପରେ ରାତିରେ ଫାଇଲ ମିଳିଥିବା ନେଇ ସୂଚନା ଦେଇଥିଲେ ଆଇନ ବିଭାଗ ପ୍ରମୁଖ ସଚିବ ।
ଫାଇଲ୍ ମିଳିବା ପରେ ଆଶ୍ୱସ୍ତ ହୋଇଛି ଆଇନ ବିଭାଗ । କିନ୍ତୁ ବିରୋଧୀ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି । ଫାଇଲ ପ୍ରକୃତରେ ହଜିଥିଲା ନା ହଜିଯିବାର ନାଟକ କରାଯାଉଥିଲା ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ରାଜ୍ୟ ସରକାର ଫାଇଲକୁ ଗାଏବ କରି ଶ୍ରୀଜଗନ୍ନାଥ ପ୍ରଶାସନର ତଥ୍ୟକୁ ଲୋକଲୋଚନରୁ ଦୂରେଇ ରଖିବା ପାଇଁ ଏଭଳି ଅପପ୍ରଚାର କରିଥିବା ଦଳ ଅଭିଯୋଗ କରିଛି ।