ମସ୍ଜିଦରେ ବ୍ୟାନ୍ ହେବନି ଲାଉଡସ୍ପିକର୍
ମସ୍ଜିଦରେ ବ୍ୟାନ୍ ହେବନି ଲାଉଡସ୍ପିକର୍। ଆଜାନ ପାଇଁ ମସ୍ଜିଦରେ ବ୍ୟବହାର ହେଉଥିବା ଲାଉଡସ୍ପିକର ଉପରେ ଲାଗିବନି କୌଣସି ପ୍ରତିବନ୍ଧକ। ଆଜି ଏଭଳି କିଛି ରାୟ ଶୁଣାଇଛନ୍ତି ଗୁଜରାଟ ହାଇକୋର୍ଟ।
ଗୁଜରାଟ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଆଜାନ ପାଇଁ ଲାଉଡସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆବେଦନ ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି। ଅଦାଲତ ଏହି ପିଆଇଏଲ୍କୁ ସମ୍ପୂର୍ଣ୍ଣ ଭୁଲ୍ ବୋଲି କହିଛନ୍ତି। ଏଥିସହ ଆଜାନ୍ ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁନାହିଁ। ଏହି ଦାବିକୁ ସମର୍ଥନ କରିବା ପାଇଁ କୌଣସି ପ୍ରମାଣ ପାଇ ନାହାନ୍ତି ବୋଲି କୋର୍ଟ କହିଛନ୍ତି।
ପ୍ରଧାନ ବିଚାରପତି ସୁନିତା ଅଗ୍ରଓ୍ୱାଲ ଏବଂ ବିଚାରପତି ଅନିରୁଦ୍ଧ ପି ମେଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ‘ମାନବୀୟ ସ୍ୱର ତିଆରି ଆଜାନ୍’ ଅନୁମତି ପ୍ରାପ୍ତ ଡେସିବେଲ୍ (ଶବ୍ଦସ୍ତର) ସୀମାକୁ କିପରି ଅତିକ୍ରମ କରିପାରିବ ଏବଂ ଶବ୍ଦ ପ୍ରଦୂଷଣ ସୃଷ୍ଟି କରିପାରିବ, ତାହା ପ୍ରମାଣ କରିବାରେ ଆବେଦନକାରୀ ବିଫଳ ହୋଇଛନ୍ତି। କୋର୍ଟ କହିଛନ୍ତି, ଲାଉଡସ୍ପିକରରେ ଆଜାନ୍ କରୁଥିବା ମଣିଷର ସ୍ୱର କିପରି ଶବ୍ଦ ପ୍ରଦୂଷଣର ସ୍ତରକୁ ଛୁଇଁ ପାରିବ, ତାହା ଆମେ ବୁଝି ପାରୁ ନାହୁଁ।
ବଜରଙ୍ଗ ଦଳର ନେତା ଶକ୍ତି ସିଂହ ଜାଲାଙ୍କ ପକ୍ଷରୁ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲା ଅନୁଯାୟୀ, ଆଜାନ୍ ପାଇଁ ଲାଉଡ୍ ସ୍ପିକର ବ୍ୟବହାର କରିବା ଦ୍ୱାରା ଶବ୍ଦ ପ୍ରଦୂଷଣ ହେଉଛି। ଏହା ବିଶେଷ କରି ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ତେବେ କୋର୍ଟ ଏହି ଦାବିଗୁଡ଼ିକରେ କୌଣସି ପ୍ରମାଣ ନଥିବା ଦର୍ଶାଇ ଉକ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି।