୭ରେ ଲଘୁଚାପ, ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

0

ଭୁବନେଶ୍ୱର: ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୭ ତାରିଖ ବେଳକୁ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଲଘୁଚାପଟି କ୍ରମେ ଘନୀଭୂତ ହୋଇ ୮ତାରିଖ ବେଳକୁ ଅବପାତର ରୂପ ନେଇପାରେ। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ଆଇଏମଡି ଡିଜିଙ୍କ ସୂଚନା ଅନୁସାରେ, ଲଘୁଚାପଟି କ୍ରମେ ଘନୀଭୂତ ହୋଇ ୮ ତାରିଖରେ ଅବପାତର ରୂପ ନେବା ପରେ ଏହା ଉତ୍ତର ଦିଗକୁ ଗତି କରିବ। ପରେ ଏହା ଅଧିକରୁ ଅଧିକ ଘନୀଭୂତ ହୋଇ ୯ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ।

ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନେଇ ଆଇଏମଡି ଡିଜି କହିଛନ୍ତି ,ବାତ୍ୟାଟି କୁଆଡ଼େ ଯିବ,କେତେ ତୀବ୍ରତା ରହିବ ଆକଳନ ହୋଇ ନାହିଁ। ୭ ତାରିଖରେ ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ। ବର୍ତ୍ତମାନ ଓଡ଼ିଶା ପାଇଁ କିଛି ସତର୍କ ସୂଚନା ନାହିଁ। ଓଡ଼ିଶା ଉପକୂଳ ପାଇଁ ବର୍ଷା, ପବନର ସତର୍କ ସୂଚନା ଜାରି କରାଯାଇ ନାହିଁ। ଲୋକମାନେ ବ୍ୟସ୍ତ ହୁଅନ୍ତୁ ନାହିଁ।୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ। ପବନ ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ। ଏଥିପାଇଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ ବୋଲି ଆଇଏମଡି ଡିଜି କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆହୁରି ୪ରୁ ୫ଦିନ କାଳବୈଶାଖୀ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.