ସମୁଦ୍ର ଦେଇ ମାଡି ଆସୁଛନ୍ତି, ତଟରେ କଡ଼ା ନଜର

0

ଭଦ୍ରକ (ଆମ ଟିଭି): ବାଂଲାଦେଶରେ ହିଂସା ଯୋଗୁ ଦେଶରେ ଅସ୍ଥିରତା ଲାଗି ରହିଛି। ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଥିବାରୁ ବାଂଲାଦେଶୀମାନେ ଭାରତ ଆସିବାର ସମ୍ଭାବନା ରହିଛି। ଦେଶ ଛାଡ଼ି ଅନୁପ୍ରବେଶକାରୀମାନେ ସମୁଦ୍ର ପଥ ଦେଇ ବୋଟ୍‌ ଯୋଗେ ପଳାଇ ଆସିବାର ଆଶଙ୍କାରେ ସରକାରଙ୍କ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଜଳପଥରେ ବାଂଲାଦେଶୀଙ୍କ ଅନୁପ୍ରବେଶ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲାର ୪୫ କି.ମି. ପରିବ୍ୟାପ୍ତ ସମୁଦ୍ର ଉପକୂଳରେ ମେରାଇନ ପୋଲିସ ସଜାଗ ରହିବା ସହ ହାଇଆଲର୍ଟ ଜାରି ହୋଇଛି। ଭଦ୍ରକ ସହ ବାଲେଶ୍ୱର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲାରେ ସମୁଦ୍ର ଉପକୂଳ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଭଦ୍ରକ ଜିଲାରେ ଉପକୂଳ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିବା ସହ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଭାରତୀୟ ନୌସେନା ସଜାଗ ରହିଛି। ଏଥିସହ ଉପକୂଳର ସମୁଦ୍ର ଭିତରକୁ ଭାରତୀୟ କୋଷ୍ଟ ଗାର୍ଡ କଡ଼ା ନଜର ରଖିଛନ୍ତି।

ଭଦ୍ରକ ଜିଲାର ଉପକୂଳରେ ଥିବା ଧାମରା, ଚୁଡ଼ାମଣି ଓ କଷିଆ ସାମୁଦ୍ରିକ ଥାନାକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଏସ୍‌ପି ବରୁଣ ଗୁଣ୍ଟୁପାଲି କହିଛନ୍ତି। ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ଏବଂ ମାଛ ଧରି ଫେରୁଥିବା ମତ୍ସ୍ୟଜୀବୀଙ୍କ ଉପରେ ସାମୁଦ୍ରିକ ଥାନା ପୋଲିସର କଡ଼ା ନଜର ରହିଛି। ଉପକୂଳରେ ବସବାସ କରୁଥିବା ଲୋକଙ୍କ ଗତିବିଧି ଓ ସେମାନଙ୍କ ପାଖକୁ ଆସୁଥିବା ଲୋକଙ୍କ ଉପରେ ଗୋଇନ୍ଦା ସଂସ୍ଥା ନଜର ରଖିଛି। ବର୍ତ୍ତମାନ ସ୍ଥିତିରେ ଉପକୂଳରେ ଥିବା ସାମୁଦ୍ରିକ ଥାନାଗୁଡ଼ିକୁ ସଶକ୍ତ କରିବା ପାଇଁ ପ୍ରତି ଥାନାକୁ ୫ଜଣ ଲେଖାଏ ସଶସ୍ତ୍ର ପୋଲିସ ଯୋଗାଇ ଦିଆଯାଇଥିବା ଏସ୍‌ପି କହିଛନ୍ତି।

ଉପକୂଳରେ ଅନୁପ୍ରବେଶ ବୃଦ୍ଧି ପାଉଥିବା ବେଳେ ଭଦ୍ରକ ଜିଲାର ୩ଟି ସାମୁଦ୍ରିକ ଥାନାର ସ୍ଥିତି ବହୁ ଦୁର୍ବଳ ରହିଛି। ଏସବୁ ଥାନାକୁ ପୋଲିସ ବିଭାଗ ହାଲୁକା ଭାବେ ଗ୍ରହଣ କରୁଥିବାରୁ ଆବଶ୍ୟକ କର୍ମଚାରୀ ନ ଥିବା ଜଣାପଡ଼ିଛି। ଏହାସହ ସମୁଦ୍ରରେ ପାଟ୍ରୋଲିଂ ପାଇଁ ନିଜସ୍ବ ମୋଟର ବୋଟ୍‌ ଓ ଚାଳକ ନ ଥିବା ମଧ୍ୟ ଜଣାପଡ଼ିଛି। ପ୍ରତି ଥାନାରେ ୬ଜଣ ଅଫିସର ରହିବା ଜାଗାରେ କଷିଆ ମେରାଇନ ଥାନାରେ ୩, ଚୁଡ଼ାମଣିରେ ୨ ଓ ଧାମରାରେ ଜଣେ ମାତ୍ର ଅଫିସର ଅଛନ୍ତି। ସେହିପରି କେବଳ ଧାମରା ମେରାଇନ ଥାନାରେ ୨ଟି ବୋଟ୍‌ ଥିବାବେଳେ ଅନ୍ୟ ୨ଟି ଥାନାରେ ଆଦୌ ମୋଟର ବୋଟ୍‌ ନ ଥିବା ଜଣାପଡ଼ିଛି। ତେବେ ଉପକୂଳ ସୁରକ୍ଷା ନେଇ ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିଥିବା ଓ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବାକୁ ପୋଲିସ ପ୍ରସ୍ତୁତ ଥିବା ଏସ୍‌ପି ଗୁଣ୍ଟୁପାଲି କହିଛନ୍ତି।

Leave A Reply

Your email address will not be published.