ଭୁବନେଶ୍ବର (ଆମ ଟିଭି): ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ। ଏହି ନିଷ୍ପତ୍ତି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ଜାଗର ପ୍ରସ୍ତୁତି ସମ୍ପର୍କିତ ବୈଠକରେ ଗ୍ରହଣ କରାଯାଇଛି।
ଖୋର୍ଦ୍ଧା ଜିଲ୍ଲାପାଳ ତଥା ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ଶ୍ରୀ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାଶିବରାତ୍ରି ଜାଗର ନୀତି ଓ ପରିଚାଳନା ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇଛି। ବୈଠକରେ ହୋଇଥିବା ଆଲୋଚନା ଅନୁସାରେ ନିଅଂଶ ପାଳି ସମ୍ପର୍କିତ ବ୍ୟବସ୍ଥା ନେଇ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଆବଶ୍ୟକ ନିଷ୍ପତ୍ତି ନେବେ।
ସେହିପରି ମନ୍ଦିର ପରିସରରେ ରହିଥିବା କିଛି ଦେବୀ ପ୍ରତିମା, ନାଗ ମୂର୍ତ୍ତି ଓ ଅନ୍ୟାନ୍ୟ ମୂର୍ତ୍ତି ଯାହାର ମନ୍ଦିରର ଐତିହ୍ୟ ସହ ସିଧାସଳଖ ସମ୍ପର୍କ ନାହିଁ, ସେଗୁଡ଼ିକୁ ବାହାର କରାଯିବ। ଏହା ପାଇଁ ଏକ ସବ୍–କମିଟି ଗଠନ କରାଯିବ ଏବଂ କେଉଁ ମୂର୍ତ୍ତି କେଉଁଠାରୁ ଆଣି ରଖାଯାଇଛି, ସେଥିରେ ତଦନ୍ତ କରାଯିବ।
ବୈଠକରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ଦ୍ୱାରା ନିର୍ମିତ ଐତିହ୍ୟ ଲିଙ୍ଗରାଜ ମାର୍କେଟ୍ରେ ଖାଲି ପଡ଼ିଥିବା ଉପର ମହଲାକୁ ନିଲାମ କରିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି।
ଠିକ୍ ସମୟରେ ମହାଦୀପ ଉଠିବାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ସେବାୟତ ନିଜ ନିଜ ଦାୟିତ୍ୱ ଶୃଙ୍ଖଳାବଦ୍ଧ ଭାବେ ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ। ଏହା ସହ ବିଭିନ୍ନ ନିଯୋଗର ପ୍ରତିନିଧିମାନେ ଠିକ୍ ସମୟରେ ନୀତି ସମ୍ପାଦନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।