ନୂଆଦିଲ୍ଲୀ (ଆମ ଟିଭି): ପୁଣି ଟିମ୍ ଇଣ୍ଡିଆକୁ ଫେରିବେ ଏମଏସ ଧୋନୀ । ଟି-୨୦ ବିଶ୍ୱକପରେ ସେମିଫାଇନାଲରୁ ବିଦାୟ ନେବା ସହ ପୁଣିଥରେ ଟିମ୍ ଇଣ୍ଡିଆର ଚାମ୍ପିୟନ ହେବା ଆଶା ଧୂଳିସାତ୍ ହୋଇଛି । ଏସବୁ ଭିତରେ ଟିମରେ ବଡ ଧରଣର ପରିବର୍ତ୍ତନ କରିବା ନେଇ ବିସିସିଆଇ ପାଗ ଭିଡୁଥିବା ଚର୍ଚ୍ଚା ହେଉଛି । ଖାସକରି ଟି-୨୦ ଫର୍ମାଟରେ ରୋହିତଙ୍କ ବଦଳରେ ନୂଆ ଯୁବ ଖେଳାଳୀଙ୍କ କାନ୍ଧରେ ଅଧିନାୟକ ଦାୟିତ୍ୱ ବିସିସିଆଇ ଦେବାକୁ ଚାହୁଁଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଗୋଟିଏ ପଟେ ରୋହିତଙ୍କ କାନ୍ଧରୁ ଅଧିନାୟକ ଭାର କାଢିବାକୁ ବିସିସିଆଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ଅନ୍ୟପଟେ ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିପାରନ୍ତି ବିଶ୍ୱବିଜେତା ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ତେବେ ଖେଳାଳୀ ଭାବେ ନୁହେଁ ବରଂ ଧୋନୀଙ୍କୁ ଟିମ୍ ଇଣ୍ଡିଆରେ ନୂଆ ଦାୟିତ୍ୱ ଦେଇପାରେ ବିସିସିଆଇ ।
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପୁଣିଥରେ ଭାରତୀୟ ଦଳରେ ସାମିଲ କରିପାରେ ବିସିସିଆଇ । ଆଇସିସି ଟୁର୍ଣ୍ଣାମେଣ୍ଟରେ କିଭଳି ଦଳ ଭଲ ଖେଳିବ ତାହାର ଦାୟିତ୍ୱ ଧୋନୀଙ୍କ ହାତରେ ଦେଇପାରେ ବିସିସିଆଇ । ଏହାପୂର୍ବରୁ ୨୦୨୧ ଟି-୨୦ ବିଶ୍ୱକପରେ ଧୋନୀଙ୍କୁ ମେଣ୍ଟର ଭାବେ ଟିମ୍ ଇଣ୍ଡିଆ ସହ ସାମିଲ କରାଯାଇଥିଲା । କିନ୍ତୁ ଧୋନୀଙ୍କ ଭୂମିକା କେବଳ ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବା ଯାଏଁ ହିଁ ସୀମିତ ରହିଥିଲା । କିନ୍ତୁ ଏଥର ଧୋନୀଙ୍କୁ ଦୀର୍ଘ ସମୟ ପର୍ୟ୍ୟନ୍ତ ଟିମ୍ ଇଣ୍ଡିଆ ସହ ଯୋଡି ରଖିବାକୁ ଯୋଜନା ପ୍ରସ୍ତୁତ କରୁଛି ବିସିସିଆଇ ।