ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମେଜର ଓ ତାଙ୍କ ବାନ୍ଧବୀ

0

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିମନ୍ତେ ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଜେଡି ମଧ୍ୟ ଆସନ୍ତାକାଲି ପାଇଁ ଦେଇଥିବା ହରତାଳ ଡାକରାକୁ ପ୍ରତ୍ୟାହାର କରିଛି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ଆଣିଥିବା ଯୁବତୀ ତାଙ୍କ ବାପା ଓ ମେଜର ।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବି ଉପସ୍ଥିତ ଥିଲେ। ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପ୍ରତିନିଧି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ଭରତପୁର ଥାନା ଘଟଣାର ପୀଡ଼ିତା ବେଶ୍‌ ସନ୍ତୁଷ୍ଟ ଅଛନ୍ତି। ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଅନୁରୋଧ କରାଯାଇଥିଲା, ତାକୁ ସରକାର ରଖିଛନ୍ତି। ତେଣୁ ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣିତ କରିଥିବା ସେ କହିଛନ୍ତି। ଏଥିନିମନ୍ତେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ସମୟରେ ପୀଡ଼ିତାଙ୍କ ବାପା ବି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଆମ ଅନୁରୋଧ ରଖି ସାକ୍ଷାତ କରିବାକୁ ସମୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ। ଦୁଇ ଦିନ ପୂର୍ବେ ପୁଲିସ୍‌ ଅଧିକାରୀମାନେ ୟୁନିଫର୍ମ ପିନ୍ଧି ପ୍ରତିବାଦ ଜଣାଇଥିବାରୁ ଏହି ତଦନ୍ତ ନିରପେକ୍ଷ ହେବ କି ନାହିଁ ମନରେ ସନ୍ଦେହ ଥିଲା। ତେଣୁ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲୁ। ମୁଖ୍ୟମନ୍ତ୍ରୀ ଆମର ଏହି ଦାବିକୁ ମାନି ନେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ତଦନ୍ତ ରିପୋର୍ଟରେ ସତ ଉନ୍ମୋଚନ ହେବ ବୋଲି ବିଶ୍ୱାସ ଥିବା ବି ସେ କହିଛନ୍ତି।

ଏଥିସହ ଯେଉଁମାନେ ଝିଅର ଭିଡିଓ ସୋଶାଲ ମିଡିଆରେ ଛାଡ଼ୁଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପୀଡ଼ିତାଙ୍କ ବାପା।

Leave A Reply

Your email address will not be published.