ଭୁବନେଶ୍ୱର (ଆମ ଟିଭି): ମାଲକାନଗିରି ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦିଆଗଲା ରିପୋର୍ଟ । ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମାଲକାନଗିରିରେ ସ୍ଥିତି ସମୀକ୍ଷା କରି ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ।
ସୂଚନା ଯୋଗ୍ୟ; ଗୁରୁବାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ମାଲକାନଗିରି ଗସ୍ତରେ ଯାଇ ପର୍ଯ୍ୟାୟ କ୍ରମେ ଦୁଇ ଗୋଷ୍ଠୀଙ୍କ ଆଲୋଚନା କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ସରିବା ପରେ କେଭି ସିଂଦେଓ ପ୍ରତିକ୍ରିୟା ରଖି କହିଥିଲେ ଦୁଇ ଗୋଷ୍ଠୀ ଦାବିପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବି। ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ।
ଏମ୍ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ବସିଥିଲା। ଜିଲାପାଳ, ଏସ୍ପି, ଡିଆଜି, ଏଡିଜିଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସିଂହ ଦେଓ ଜିଲ୍ଲା ପ୍ରଶାସନକୁ ସ୍ୱାଭାବିକତା ଫେରାଇ ଆଣିବା, କଡ଼ାକଡ଼ି ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ଆଉ କୌଣସି ଉତ୍ତେଜନା କିମ୍ବା ଅପ୍ରୀତିକର ଘଟଣା ନ ଘଟେ ତାହା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।