ଭୁବନେଶ୍ୱର (ଆମ ଟିଭି): ମାଲକାନଗିରି ହିଂସାରେ ୩ କୋଟି ୪୦ ଲକ୍ଷର କ୍ଷୟକ୍ଷତି ଆକଳନ କରାଯାଇଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ । ସେ କହିଛନ୍ତି ଏହି ଘଟଣାରେ ୩ କୋଟି ୪୦ ଲକ୍ଷର କ୍ଷୟକ୍ଷତି ଆକଳନରେ ଘରକୁ ସାମିଲ୍ କରାଯାଇ ନାହିଁ । ଘର କ୍ଷୟକ୍ଷତିର ଆକଳନ ବୈଷୟିକ ଟିମ୍ କରୁଛନ୍ତି ।
ଜିଲ୍ଲାପାଳ ଆଉ ମଧ୍ୟ କହିଛନ୍ତି ମାଲକାନଗିରି କୌଣସି ଅପ୍ରୀତିକରି ଘଟଣା ଆଉ ଘଟିନି, ସ୍ବାଭାବିକ ସ୍ଥିତି ଫେରୁଛି ।ଏମ୍ଭି ୨୬ ଗାଁକୁ ଲୋକେ ଫେରୁଛନ୍ତି, ରିଲିଫ୍ ବଣ୍ଟାଯାଉଛି ।ବିଦ୍ୟୁତ ଓ ଜଳ ଯୋଗାଣ ପାଇଁ ଜୋରଦାର କାମ ଚାଲିଛି । ସମ୍ପୃକ୍ତ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂରା ଗାଁ ଏବେ ସିସିଟିଭି ନଜରରେ ରହିଛି। ପରିସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିନଥିବାରୁ ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ-୨୦୨୫କୁ ସ୍ଥଗିତ ରଖାଯାଇଛି।
ସୂଚନା ଯୋଗ୍ୟ; ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଥିଲା। ଏମ୍ଭି–୨୬ ଗାଁରେ ଘର, ଗାଡ଼ି ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଛନ୍ତି। ପୋଲିସ ଉପସ୍ଥିତ ସତ୍ତ୍ବେ ପୁରୁଷ, ମହିଳା ଏକାଠି ହୋଇ ଭଙ୍ଗାରୁଜା କରିଥିଲେ। ପୋଡ଼ାଜଳା ପରେ ଭିନ୍ନ ଭିନ୍ନ ସ୍ଥାନରେ ଉଭୟ ଗୋଷ୍ଠୀ ଏକତ୍ରିତ ହୋଇଥିଲେ।
ଡିସେମ୍ବର ୪ ତାରିଖରେ ଲାକେଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର କରାଯାଇଥିବା ବେଳେ ଡିସେମ୍ବର ୧୦ ତାରିଖରେ ତାଙ୍କ କଟା ମୁଣ୍ଡକୁ ଠାବ କରାଯାଇଥିଲା। ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନଠାରୁ ୪୦ କିଲୋମିଟର ଦୂରରୁ କଟାମୁଣ୍ଡ ମିଳିଥିଲା। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରେ ଗୋଟିଏ କଟାମୁଣ୍ଡ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ କଟାମୁଣ୍ଡ ଜବତ କରି ତଦନ୍ତ ପାଇଁ ପଠାଇଥିଲା।