ନୂଆଦିଲ୍ଲୀ (ଆମ ଟିଭି): ମଣିପୁରରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜନୀତି ଚରମ ସୀମରେ ପହଞ୍ଚିଛନ୍ତି । ୨ ମାସରୁ ଅଧିକ ସମୟ ଧରି ଲାଗି ରହିଛି ହିଂସା । ୧୫୦ ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ହଜାର ହଜାର ଲୋକ ନିଜ ଘରଦ୍ୱାର ଛାଡି ପଶୁଙ୍କ ଭଳି ଆଶ୍ରୟ ସ୍ଥଳରେ ସାହାରା ନେଇଛନ୍ତି । ଗୃହମନ୍ତ୍ରୀଙ୍କ ଘନ ଘନ ବୈଠକ ଓ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ହିଂସାରୁ ବିରତ ରହିବାକୁ ନିବେଦନ । ହେଲେ ଏହି ଜାତିଗତ ହିଂସା ଆଗରେ ସବୁ ଯେମିତି ଫିକା ପଡିଯାଇଛି ।
ଏସବୁ ଭିତରେ ଗତକାଲି ମଣିପୁରରୁ ଆସିଥିବା ଏକ ଭିଡିଓ ବିଶ୍ୱର ସର୍ବଶ୍ରେଷ୍ଟ ଓ ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର କୁହାଯାଉଥିବା ଭାରତ ବର୍ଷ ପାଇଁ ସତେ ଯେମିତି ଏକ କଳଙ୍କ ଭଳି ଦୃଶ୍ୟମାନ ହେଉଛି । ଏସବୁକୁ ନେଇ ଆଜି ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀଦଳମାନେ । ରାଜ୍ୟସଭାରେ ବିରୋଧୀଦଳମାନେ ମଣିପୁର ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ସଂସଦରେ ବୟାନ ରଖନ୍ତୁ ବୋଲି ଦାବି କରିଥିବା ବେଳେ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ମଣିପୁରରେ ମାନବିକତା ମରିଯାଇଛି ।