ନୂଆଦିଲ୍ଲୀ(ଆମ ଟିଭି): କଂଗ୍ରେସକୁ ମିଳିଲା ଅଣଗାନ୍ଧୀ ଅଧ୍ୟକ୍ଷ । ଦୀର୍ଘ ୨୪ ବର୍ଷ ପରେ ଗାନ୍ଧୀ ପରିବାର ହାତରୁ ଯାଇଛି କଂଗ୍ରେସ ସଭାପତି ଆସନ । ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ । ଆଜି ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି ଯେଉଁଠି ଖଡ଼ଗେ କଂଗ୍ରେସର ଅଧ୍ୟକ୍ଷ ଭାବେ ଔପଚାରିକାତା ସହ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୋନିଆ ଗାନ୍ଧୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତା କାର୍ୟକ୍ରମରେ ଉପସ୍ଥିତ ରହିଥିଲେ । ଦଳର ଏହି ଗୁରୁଦାୟିତ୍ୱ ଖଡ଼ଗେଙ୍କ ହାତକୁ ଦେବା ପରେ ସୋନିଆ ଗାନ୍ଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ସୋନିଆ କହିଛନ୍ତି, ବର୍ତମାନ ଖଡ଼ଗେଙ୍କୁ ଦଳର ଅଧ୍ୟକ୍ଷ ଦାୟିତ୍ୱ ଦେବା ପରେ ସେ ଆଶ୍ୱସ୍ତି ପ୍ରଦାନ କରୁଛନ୍ତି ।
LIVE: Presentation of certificate of election to the newly elected Congress President Shri @kharge at AICC HQ. #CongressPresidentKharge https://t.co/8GeOvUSzaf
— Congress (@INCIndia) October 26, 2022
ଖଡ଼ଗେଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଦଳ ସମସ୍ତ ଆହ୍ୱାନର ସଫଳତାର ସହ ସାମ୍ନା କରିବ ବୋଲି ଆଜିର କାର୍ୟ୍ୟକ୍ରମରେ ଆଶା ବ୍ୟକ୍ତ କରିଛନ୍ତି ସୋନିଆ । ଏଥିସହ ସମସ୍ତ ସହଯୋଗ ଏବଂ ସମର୍ଥନ ପାଇଁ ଦଳର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୋନିଆ ଗାନ୍ଧୀ । ଅକ୍ଟୋବର ୧୯ ତାରିଖରେ ନିର୍ବାଚନ ଫଳାଫଳରେ ଶଶୀ ଥରୁରଙ୍କୁ ହରାଇ ଖଡଗେ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । କର୍ଣ୍ଣାଟକର ଦଳିତ ସମ୍ପ୍ରଦାୟର ୮୦ ବର୍ଷୀୟ ଖଡଗେ ଅକ୍ଟୋବର ୧୭ ତାରିଖରେ ହୋଇଥିବା ଐତିହାସିକ ନିର୍ବାଚନରେ ନିଜ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶଶୀ ଥରୁରଙ୍କୁ ହରାଇଥିଲେ । ୧୩୭ ବର୍ଷର କଂଗ୍ରେସ ଇତିହାସରେ ଷଷ୍ଠଥର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । କଂଗ୍ରେସ ଅଧ୍ୟକ୍ଷ ପଦ ଦାୟିତ୍ୱ ଗ୍ରହଣ କରିବା ପରେ ଖଡଗେଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ ।