ଧାରଣାରେ ବସିବେ ମମତା ବାନାର୍ଜୀ, ଜାଣନ୍ତୁ କାହିଁକି
କୋଲ୍କାତା: ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷମାନେ ଯଦି ନୋବେଲ୍ ବିଜୟୀ ଅମର୍ତ୍ତ୍ୟ ସେନଙ୍କ ପୈତୃକ ବାସଭବନ ‘ପ୍ରତୀଚୀ’କୁ ଭାଙ୍ଗିବାକୁ ଉଦ୍ୟମ କରନ୍ତି, ମୁଁ ବୋଲପୁରରେ ଧାରଣା ଦେବି ବୋଲି ବୁଧବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ସୂଚନାଯୋଗ୍ୟ, ବିଶ୍ବବିଦ୍ୟାଳୟ ପରିସର ଅଞ୍ଚଳରେ ସେନ୍ଙ୍କୁ ଯେତିକି ଜମି ‘ଲିଜ୍’ ଦିଆଯାଇଥିଲା ସେ ବେଆଇନ ଭାବେ ତା’ଠାରୁ ଅଧିକ ଜମି ଦଖଲ କରିଥିବା କଥା ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟ (ଶାନ୍ତି ନିକେତନ) କର୍ତ୍ତୃପକ୍ଷ କହୁଛନ୍ତି।
ଉଚ୍ଛେଦନାମା ଆଦେଶରେ ବିଶ୍ବବିଦ୍ୟାଳୟ ସେନ୍ଙ୍କୁ କହିଛନ୍ତି କି, ମେ ୬ ତାରିଖରେ ସେମାନେ ସେନ୍ଙ୍କ ପୈତୃକ ସମ୍ପତ୍ତିରୁ .୧୩ ଡେସିମିଲ୍ ଜାଗା ଦଖଲ କରିବେ। କାରଣ ଶାନ୍ତିନିକେତନ ପରିସରରେ ସେନ୍ଙ୍କ ୧.୩୮ ଏକର ଜମି ରହିଛି। ସେଥିରୁ .୧୩ ଡେସିମିଲ୍ ଜମି ସେନ୍ଙ୍କ ଜବରଦଖଲରେ ରହିଛି।
ସାମ୍ବାଦିକମାନଙ୍କୁ ବାନାର୍ଜୀ କହିଛନ୍ତି, ପ୍ରତିଦିନ ଅମର୍ତ୍ତ୍ୟ ସେନଙ୍କ ଉପରେ ଆକ୍ରମଣ କରାଯାଉଛି। ମୁଁ ସେମାନଙ୍କର (ବିଶ୍ବଭାରତୀ) ଦାମ୍ଭିକତା ଦେଖିଛି। ସେମାନେ ଯଦି ତାଙ୍କ ଘର ଭାଙ୍ଗନ୍ତି ପ୍ରଥମେ ମୁଁ ବୋଲପୁର ଯିବି। ସେଠାରେ ଧାରଣା ଦେବି। ଦେଖିବି, କିଏ ଶକ୍ତିଶାଳୀ, ବୁଲ୍ଡୋଜର୍ ନା, ମାନବିକତା।
ସୂଚନାଯୋଗ୍ୟ, ୨୦୦୬ରେ କରାଯାଇଥିବା ‘ମ୍ୟୁଟେସନ୍’ ଅନୁସାରେ ସେଠାରେ ଥିବା ୧.୩୮ ଏକର୍ ଜମି ସମୁଦାୟ ତାଙ୍କର ବୋଲି ଉଲ୍ଲେଖ ଥିବା ରାଜ୍ୟ ଭୂମି ଓ ରାଜସ୍ବ ବିଭାଗଙ୍କ ଦଲିଲକୁ ଜାନୁଆରି ୩୦ ତାରିଖ ଦିନ ମମତା ବାନାର୍ଜୀ ଅମର୍ତ୍ତ୍ୟ ସେନଙ୍କୁ ହସ୍ତାନ୍ତର କରିଥିଲେ।