ମୋଦିଙ୍କୁ ଶାନ୍ତନା ଦେଲେ ମମତା

0

କୋଲାକତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମା’ ହୀରାବେନଙ୍କୁ ହରାଇ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସେ ନୂଆଦିଲ୍ଲୀରୁ ବିମାନ ଯୋଗେ ଗୁଜରାଟ ଯିବା ସହ ସେଠାରେ ମା’ଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ମା’ଙ୍କୁ ମୁଖାଗ୍ନି ଦେବା ପରେ ସେ ତୁରନ୍ତ ନିଜର ବ୍ୟକ୍ତିଗତ ଅପୂରଣୀୟ କଷ୍ଟକୁ ଭୁଲି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ସେ ଆଜି ଭିଡିଓ କନଫରେନ୍ସିଂ ଦ୍ୱାରା ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି। ସେ ଏହାକୁ ପତାକା ଦେଖାଇ ଉଦଘାଟନ କରିଥିଲେ ହେଁ ତାଙ୍କ ମୁହଁରୁ ମା’ଙ୍କୁ ହରାଇଥିବା ଦୁଃଖ ସ୍ପଷ୍ଟ ଜଣାପଡ଼ୁଥିଲା। ଏହି ସମୟରେ କାର୍ଯ୍ୟକ୍ରମରେ ଉପସ୍ଥିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଛି କ୍ଷଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।

ମମତା କହିଛନ୍ତି, “ଆପଣ କିଛି କ୍ଷଣ ବିଶ୍ରାମ ନିଅନ୍ତୁ। ଆପଣଙ୍କ ମା’ଙ୍କ ଦେହାନ୍ତରେ ମୁଁ କେମିତି ଶୋକ ଜଣାଇବି ଜାଣିପାରୁନି। ଆପଣଙ୍କ ମା’ ଆମମାନଙ୍କ ମା’। ମୋର ବି ମୋ ମା’ଙ୍କ କଥା ମନେ ପଡ଼ୁଛି।” ଏହା ଶୁଣି ମୋଦି ଆହୁରି ଭାବବିହ୍ୱଳ ହୋଇଯାଇଥିଲେ। ତଥାପି ଧାର୍ଯ୍ୟ ସୂଚୀ ଅନୁସାରେ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକରେ ସେ ଯୋଗଦେଇଛନ୍ତି।

ପ୍ରକୃତରେ ମୋଦି ଆଜି ପଶ୍ଚିମବଙ୍ଗ ଯାଇ ରେଳ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିଥାଆନ୍ତେ। ହେଲେ ମା’ ହୀରାବେନଙ୍କ ମୃତ୍ୟୁ ଖବର ସକାଳୁ ମିଳିବାରୁ ସେ ପଶ୍ଚିମବଙ୍ଗ ଗସ୍ତ ନ କରି ସିଧା ଗାନ୍ଧିନଗରରେ ପହଞ୍ଚିଥିଲେ। ଏଠାରେ ସେ ମା’ଙ୍କ ଶେଷକୃତ୍ୟ ଶେଷ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ବେଙ୍ଗଲର ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

Leave A Reply

Your email address will not be published.