କୋଲକାତା (ଆମ ଟିଭି): ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମମତା ଆରମ୍ଭ କଲେଣି ଅଭିଯାନ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କ ଦଳ ତ୍ରୁଣମୂଳ କଂଗ୍ରେସ (ଟିଏମସି) ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନର ନାଁ ରହିଛି ‘ଦିଦିର ସୁରକ୍ଷା କବଚ’। ଏହି ଅଭିଯାନ ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହେବ। ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଦଳର ୩.୫ ଲକ୍ଷ କର୍ମୀ ରାଜ୍ୟର ୧୦ କୋଟି ଲୋକଙ୍କ ପାଖରେ ପହଞ୍ଚିବେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ମମତା କହିଛନ୍ତି ଯେ, ଆମେ ଲୋକଙ୍କ ପାଇଁ କାମ ଜାରି ରଖିବାକୁ ପଡ଼ିବ। ଟିଏମସି ଲୋକଙ୍କର, ଲୋକଙ୍କ ପାଇଁ ଏବଂ ଲୋକଙ୍କ ଦ୍ୱାରା ବୋଲି ସେ କହିଛନ୍ତି।
ଏହି କାର୍ୟ୍ୟକ୍ରମର ଘୋଷଣା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଟିଏମସି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଉପସ୍ଥିତ ଥିଲେ। ଅଭିଷେକ ବାନାର୍ଜୀ କହିଛନ୍ତି, ଦଳ ଜାନୁଆରୀ ୧୧ ରେ ଏହି ଅଭିଯାନ ଆରମ୍ଭ କରିବ । ଏହା ସହିତ ୬୦ ଦିନ ପର୍ୟ୍ୟନ୍ତ ଏହା ଜାରି ରହିବ। ଆମ ଦଳର କର୍ମୀମାନେ ସାରା ରାଜ୍ୟରେ ପହଞ୍ଚିବେ। ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଯେମିତି ପ୍ରତିତି ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଦଳୀୟ କର୍ମୀମାନେ ନିଶ୍ଚିତ କରିବେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳର ପ୍ରତ୍ୟେକ ନେତା, ସାଂସଦ ଏବଂ ବିଧାୟକମାନେ ୧୦ ରାତି ଲୋକଙ୍କ ଘରେ ରହିବେ। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଆରମ୍ଭ ହୋଇଛି କି ବୋଲି ପ୍ରଶ୍ନ ହେବାରୁ ମମତା କହିଛନ୍ତି, ଆମେ କେବେ ଦୁଆରେ ସକରାର ଆରମ୍ଭ କରିଥିଲୁ। ଏହା ଏକ ନିରନ୍ତର ପ୍ରକ୍ରିୟା।