ଅଫିମ ଚାଷ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମମତା

0

ନୂଆଦିଲ୍ଲୀ :‘ଆମେ ଅଫିମ ଚାଷ କରିବାକୁ ଚାହୁଁଛୁ, ଏଥିନିମନ୍ତେ ଆମକୁ ଖୁବ୍‌ ଶୀଘ୍ର ଅନୁମତି ଦିଅ ।’ କେନ୍ଦ୍ରକୁ ଏପରି ପତ୍ର ଲେଖି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଧାନସଭାରେ ବଜେଟ ଚର୍ଚ୍ଚାରେ ଭାଗ ନେଇ ଏପରି କହିଛନ୍ତି ଦିଦି।

ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଅଫିମ ଫଳର ମଞ୍ଜିରୁ ପ୍ରସ୍ତୁତ ହୋଇଥାଏ ପୋସ୍ତ । ଆଉ ଏହି ପୋସ୍ତରୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ, ଯାହାକି ବଙ୍ଗାଳୀଙ୍କର ଖୁବ୍‌ ପସନ୍ଦ। ପୋସ୍ତରେ ପ୍ରସ୍ତୁବ ବ୍ୟଞ୍ଜନ ପ୍ରତି ଆମର ଖୁବ୍‌ ଦୁର୍ବଳତା ଥିବା ବେଳେ ଏହା ଆମର ପ୍ରତିଦିନ ମେନ୍ୟୁରେ ସାମିଲ ହୋଇଥାଏ। ମାତ୍ର ଆମ ରାଜ୍ୟରେ ଏହାର ଚାଷ ପାଇଁ ଅନୁମତି ନ ଥିବାରୁ ଆମେ ଅନ୍ୟ ରାଜ୍ୟରୁ ଏହାକୁ ଅଧିକ ଟଙ୍କା ଦେଇ କିଣିବାକୁ ବାଧ୍ୟ ହେଉଛୁ।

ଏପରିକି କିଲୋ ପିଛା ହଜାରେ ଟଙ୍କା ଦେଇ ଏବେ ଆମେ ପୋସ୍ତ କିଣିବାକୁ ବାଧ୍ୟ ହେଉଛୁ। ମାତ୍ର ଆମେ ନିଜ ରାଜ୍ୟରେ ଏହାର ବହୁଳ ଚାଷ କରି ପାରିଲେ ଏହାର ଦାମ୍‌ କିଲୋ ପିଛା ଶହେ ଟଙ୍କା ପର୍ଯ୍ୟନ୍ତ ଖସି ପାରିବ । ପୋସ୍ତ ଡ୍ରଗ୍ସ ହୋଇ ନ ଥିବାରୁ କେନ୍ଦ୍ର ସରକାର ଏହାର ଅନୁମତି ଦେବାକୁ ପଛଘୁଞ୍ଚା ଦେବା ଉଚିତ ନୁହେଁ। ଶାସକ ଓ ବିପକ୍ଷ ସଦସ୍ୟ ଏକତ୍ରିତ ହୋଇ କେନ୍ଦ୍ର ନିକଟରେ ଏଥିନିମନ୍ତେ ଦାବି ଜଣାଇବାକୁ କହିଛନ୍ତି ମମତା।

ଏବେ ୪ଟି ରାଜ୍ୟକୁ ଅଫିମ ଚାଷ ପାଇଁ ଅନୁମତି ଥିବା ବେଳେ ପଶ୍ଚିମବଙ୍ଗକୁ କାହିଁକି ମିଳିପାରିବନି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ସେ କହିଛନ୍ତି, ଏବେ ଆମ ରାଜ୍ୟର ଚାଷୀମାନଙ୍କ ଆୟ ବଢ଼ିଥିବା ବେଳେ ବୈଜ୍ଞାନିକମାନେ ବି ନୂଆ ନୂଆ ଉଦ୍ଭାବନ କରୁଛନ୍ତି। ହେଲେ କିଛି ଲୋକ ଭାବୁଛନ୍ତି ମୁଁ ପାଗଳ । ଏହା ସତ୍ତ୍ୱେ ବି ଅଫିମ ଚାଷ ପାଇଁ ଅନୁମତି ନ ମିଳିବା ଯାଏ ମୁଁ କେନ୍ଦ୍ର ନିକଟରେ ଦାବି ଜଣାଇ ଚାଲିବି ବୋଲି କହିଛନ୍ତି ମମତା ବାନାର୍ଜୀ।

Leave A Reply

Your email address will not be published.