ମଣିପୁର ମାମଲା ; ତଦାରକ କରିବେ ତିନି ଜଣିଆ ମହିଳା ବିଚାରପତି ଟିମ୍ ମହିଳା
ନୂଆଦିଲ୍ଲୀ: ମଣିପୁର ମାମଲାରେ ସୁପ୍ରିମ୍କୋର୍ଟ ଆଜି ତିନିଜଣ ପୂର୍ବତନ ମହିଳା ହାଇକୋର୍ଟ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି। ହିଂସା ତଦନ୍ତର ତଦାରଖ ସହିତ ପୁନଃଥଇଥାନ ତଥା ଅନ୍ୟାନ୍ୟ ପ୍ରସଙ୍ଗର ମଧ୍ୟ ତଦାରଖ କରିବ ଏହି କମିଟି। ହିଂସା ଘଟଣାର ଅନୁସନ୍ଧାନ ଅପେକ୍ଷା କମିଟିର ଆଭିମୁଖ୍ୟ ବ୍ୟାପକ ରହିବ। କୋର୍ଟ କହିଛନ୍ତି, ଆମର ପ୍ରୟାସ ହେଉଛି ଆଇନର ଶାସନ ଉପରେ ବିଶ୍ୱାସକୁ ପୁନଃସ୍ଥାପିତ କରିବା। ଆମେ ତିନିଜଣ ପୂର୍ବତନ ହାଇକୋର୍ଟ ବିଚାରପତିଙ୍କ ଏକ କମିଟି ଗଠନ କରିବୁ। ଏହି କମିଟି ଅନୁସନ୍ଧାନ ବ୍ୟତୀତ ରିଲିଫ୍, ପ୍ରତିକାର ବ୍ୟବସ୍ଥା ଇତ୍ୟାଦି ଅନ୍ୟ ବିଷୟ ଉପରେ ଦୃଷ୍ଟି ଦେବ।
କମିଟିର ଏହି ତିନିଜଣ ସଦସ୍ୟ ହେଉଛନ୍ତି, ଜମ୍ମୁ-କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଗୀତା ମିତ୍ତଲ, ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶାଳିନୀ ଯୋଶୀ ଏବଂ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଶା ମେନନ। ପୂର୍ବତନ ଆଇପିଏସ୍ ଅଧିକାରୀ ଦତ୍ତାତ୍ରେୟ ପଦସାଲଗିକର ସିବିଆଇ ତଦନ୍ତର ତଦାରଖ କରିବେ ବୋଲି କୋର୍ଟ କହିଛନ୍ତି। ତା’ଛଡ଼ା ବିଭିନ୍ନ ରାଜ୍ୟରୁ ସିବିଆଇକୁ ଅଣାଯାଇଥିବା ଅନ୍ତତଃପକ୍ଷେ ଡିଏସ୍ପି ପାହ୍ୟାର ପାଞ୍ଚଜଣ ଅଧିକାରୀ ରହିବେ।