ମଣିପୁର ଘଟଣା; ବନ୍ଧା ହେଲେଣି ୪ ଅପରାଧୀ

0

ନୂଆଦିଲ୍ଲୀ :ମଣିପୁର ରାଜରାସ୍ତାରେ ଶତାଧିକ ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ସହ ଅସଦାଚରଣ କରୁଥିବା ଭିଡିଓ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। କାକୁତିମିନତୀ ହୋଇ ଛାଡ଼ି ଦେବାକୁ ନେହୁରା ହେଉଥିବା ମହିଳାଙ୍କ ପ୍ରତି ଏପରି ପାଶବିକ ଅତ୍ୟାଚାର ଯୋଗୁ ସମଗ୍ର ଦେଶବାସୀଙ୍କ ମୁଣ୍ଡ ନଇଁ ଯାଇଛି। ପାର୍ଲାମେଣ୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସବୁଠି ହଇଚଇ ସୃଷ୍ଟି ହୋଇଥିବା ବେଳେ ଇତି ମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ବୁଧବାର ଏହି ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶ ଉଠିଥିଲା, ପଡ଼ିଥିଲ। ଘଟଣାର ଗୁରୁତ୍ୱକୁ ଦେଖି ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ପୁଲିସ୍‌ର ବିଭିନ୍ନ ଟିମ୍‌ ଗଠିତ ହୋଇ ବହୁ ସ୍ଥାନରେ ଚଢ଼ାଉ ହୋଇଥିଲା। ବୁଧବାର ମଧ୍ୟରାତ୍ରରେ ଏପରି ଲଜ୍ଜାଜନକ ଘଟଣାର ମୁଖ୍ୟ ଅଭିଯୁକ୍ତ ହୁଇରେମ ହେରାଦାଶ ସିଂଙ୍କୁ ପୁଲିସ୍‌ ଉଠାଇ ଆଣିଥିବା ବେଳେ ଗତକାଲି ଆଉ ୩ ଜଣ ବନ୍ଧା ହୋଇଥିବା ଜଣାଯାଇଛି।

ଏହି ଘଟଣାକୁ ନେଇ ପୁଣି ଥରେ ସମଗ୍ର ରାଜ୍ୟରେ ତାତି ଆରମ୍ଭ ହୋଇଥିବା ବେଳେ ପୁଲିସ୍‌ ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଅଜ୍ଞାନ ସ୍ଥାନରେ ରଖି ପଚରାଉଚରା କରୁଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ସେମାନଙ୍କ ପରିଚୟ ଗୋପନ ରଖାଯାଇଥିବା ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି। ଏନେଇ ଥୌବଲ ଜିଲ୍ଲାର ନୌଙ୍ଗପୋକ ଥାନାରେ ଅପହରଣ, ଗଣବଳାତ୍କାର ଓ ହତ୍ୟା ପରି ମାମଲା ରୁଜୁ ହୋଇଥିବା ଜଣାଯାଇଛି।

ହିଂସାଗ୍ରସ୍ତ ମଣିପୁରର ରାଜଧାନୀ ଇମ୍ଫାଲଠାରୁ ୩୫ କିମି ଦୂର କାଙ୍ଗପୋକପି ଜିଲ୍ଲାରେ ଗତ ମେ’ ୪ ତାରିଖରେ ଏପରି ଲଜ୍ଜାଜନକ ଘଟଣା ଘଟିଥିବା ବେଳେ ଗତ ବୁଧବାର ଏହାର ଭିଡିଓ ଭାଇରାଲ ହୋଇଥିଲା।

Leave A Reply

Your email address will not be published.