ଇଡି ଦାଖଲ କରିଥିବା ଦ୍ୱିତୀୟ ଚାର୍ଜସିଟରେ ନାହିଁ ମନୀଷ ସିସୋଦିଆଙ୍କ ନାଁ

0

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ଦ୍ୱିତୀୟ ବାର ଚାର୍ଜସିଟ୍ ଦାଖଲ କରିଛି ଇଡି । କେନ୍ଦ୍ରୀୟ ଏଜେନ୍ସି ଦ୍ୱିତୀୟ ଚାର୍ଜଶିଟରେ ଅଭିଯୁକ୍ତ ତାଲିକାରେ ୧୨ଟି ନାଁ ରଖିଛି। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଇଡି ପୂର୍ବରୁ ଗିରଫ କରି ସାରିଥିବା ବେଳେ ୭ଟି କମ୍ପାନୀକୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ତେବେ ପ୍ରଥମ ଚାର୍ଜଶିଟ ଭଳି ଇଡିର ଦ୍ୱିତୀୟ ଚାର୍ଜଶିଟରେ ମଧ୍ୟ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁ ନାହିଁ। ଅବକାରୀ ନୀତି ପ୍ରଣୟନରେ ଦିଲ୍ଲୀର କ୍ଷମତାସୀନ ଆପ୍ ସରକାର ବ୍ୟାପକ ହେରଫେର କରିଥିବା ଅଭିଯୋଗ ଆସିବା ପରେ ଉଭୟ ସିବିଆଇ ଓ ଇଡି ଘଟଣାର ତଦନ୍ତ କରିଥିଲେ।

ଏହି ତଥାକଥିତ ଦୁର୍ନୀତି ଘଟଣାରେ ସିବିଆଇ ରୁଜୁ କରିଥିବା ଏଫଆଇଆରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୧ନଂ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ଉଭୟ ସିବିଆଇ ଓ ଇଡି ତାଙ୍କୁ ଜେରା କରିବା ସହ ତାଙ୍କ ଠିକଣାରେ ରେଡ୍ ମଧ୍ୟ କରିଥିଲେ। ହେଲେ ଇଡିର ଦୁଇଟି ଯାକ ଚାର୍ଜଶିଟରେ ତାଙ୍କ ନାଁ ହିଁ ନାହିଁ। ସିବିଆଇ ମଧ୍ୟ ପୂରା ମାମଲାରେ ପୂର୍ବରୁ ଗୋଟିଏ ଚାର୍ଜଶିଟ ଦାଖଲ କରିଥିଲେ। ସେଥିରେ ମଧ୍ୟ ସିସୋଦିଆଙ୍କ ନାଁ ନଥିଲା। ଆଜି ଇଡି ଦାଖଲ କରିଥିବା ଚାର୍ଜଶିଟରେ ବିଜୟ ନାୟର, ଶରତ ରେଡ୍ଡୀ, ବିନୟ ବାବୁ, ଅଭିଷେକ ବୋଇନପାଲ୍ଲୀ ଓ ଅମିତ ଅରୋରାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଏମାନେ ସମସ୍ତେ ଏବେ ଇଡି ହେପାଜତରେ ରହିଛନ୍ତି। ଏହାପୂର୍ବରୁ ଇଡି ଦାଖଲ କରିଥିବା ଚାର୍ଜଶିଟରେ ଇଣ୍ଡୋସ୍ପିରିଟ କମ୍ପାନୀର ମାଲିକ ସମୀର ମହେନ୍ଦ୍ରଙ୍କ ନାଁ ରହିଥିଲା।

Leave A Reply

Your email address will not be published.