ମନମୋହନ ଓ ମିହିରଙ୍କୁ ‘କଞ୍ଚାଲଙ୍କା’ରେ ଶ୍ରଦ୍ଧାଞ୍ଜଳି

0

ସ୍ବର୍ଗତ ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏବଂ ଅଭିନେତା ମିହିର ଦାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’ କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି। ଏଇ ଚଳଚ୍ଚିତ୍ରଟି ଉଭୟ ଜାତୀୟ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି। ଅଭିନେତା ମିହିର ଏହାପୂର୍ବରୁ ବିଧାତା, ଲକ୍ଷ୍ମୀପ୍ରତିମା ଓ ଫେରିଆ ମୋ ସୁନାଭଉଣୀରେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଓଡ଼ିଶାର ଏକ ମଫସଲ ଗାଁରେ ଅଛନ୍ତି ରଘୁ। ତାଙ୍କ ଆଶା ବାଙ୍ଗାଲୋରରେ ରହୁଥିବା ପୁଅ, ବୋହୂ ଓ ନାତି କେବେ କେବେ ଆସି ଗାଁରେ ରହନ୍ତେ। ପୁଣି ସେଇ ଗାଁରେ ରହୁଥିବା ସକୁନ୍ତଳାର ଆ‌ଶା ତାଙ୍କ ପୁଅ ଚାକିରିଟିଏ ପାଆନ୍ତା। ରଘୁଙ୍କର ‘ଆଶା’ ଆଉ ସକୁନ୍ତଳାଙ୍କର ‘ସ୍ବପ୍ନ’। ନା କାହାର ଆଶା ପୂରଣ ହୁଏ ନା କାହାର ସ୍ବପ୍ନ ସାକାର ହୁଏ!!! ଦର୍ଶକ ଉକ୍ତ ଚଳଚ୍ଚିତ୍ର କାହାଣୀରେ ଥିବା ମନସ୍ତାତ୍ତ୍ବିକ ମାୟାରେ ଛନ୍ଦି ହେଇଯାଉଛନ୍ତି। ରଘୁଙ୍କ ଆଶା ଶେଷ ପର୍ଯ୍ୟନ୍ତ ଅଧୁରା ହେଇ ରହେ, ମୃତ୍ୟୁ ପରେ ବି ନିଜ ପୁଅ ତାଙ୍କୁ ମୁଖାଗ୍ନି ଦେବାକୁ ଆସିପାରେ ନାହିଁ। ‘ଭିଜା ମାଟିର ସ୍ବର୍ଗ’ର କାହାଣୀ ସରଳ ଓ ସହଜ ମାତ୍ର ଏଥିରେ ଥିବା ସଂଳାପ ସଶକ୍ତ। ଏଥିରେ ନାଟକୀୟତା ବା ଅତିନାଟକୀୟତାର ପଟୁ ଆଦୌ ନାହିଁ। ଏଥିରେ ଥିବା ଦୁଇ ଚରିତ୍ର ରଘୁ (ମିହିର) ଓ ସ୍ମିତା (ଗାର୍ଗୀ); ଉଭୟଙ୍କ ଅଭିନୟରେ ସଂଳାପ ତୁଳନାରେ ଭାବନାକୁ ଅଧିକ ଗୁରୁତ୍ବ ଦିଆଯାଇଛି।

ଏଥିରେ ଥିବା ଚିତ୍ରନାଯ୍ୟ ପ୍ରବାହ ବି ସହଜ ଓ ଏକରୈଖିକ। ଏଥିରେ ଘଟୁଥିବା ଘଟଣା ସାଧାରଣ ଏବଂ ଅପତ୍ୟାଶିତ ଭାବେ ଘଟୁଛି। ମୃଦଙ୍ଗ ବାଦକର ତାଳ ସହ ଝଙ୍କାଳିଆ ବରଗଛ ଦେଇ ସମୟ ବହିଯାଉଥିବାର ଦୃଶ୍ୟର ସଂଯୋଜନା ଓ ରୂପାୟଣ ଏକ ଅଦ୍ଭୁତ ବନୋତ୍ମକ ସଂଯୋଗ ସୃଷ୍ଟିକରୁଛି। ଏଇ ଚଳଚ୍ଚିତ୍ରରେ କେବଳ ଆଲୋକ ସଂପାତ ହେଉଛି ଏକମାତ୍ର ନାଟକୀୟ ତତ୍ତ୍ବ ଆଧାରିତ। ପତ୍ନୀଙ୍କ ସମାଧି ସାମନାରେ ରଘୁଙ୍କ ଦୀପ ପ୍ରଜ୍ବଳନ ଏବଂ କଥୋପୋକଥନ ଏକମାତ୍ର ନାଟକୀୟ ଦୃଶ୍ୟ। ଚଳଚ୍ଚିତ୍ରର ଗତି ମନ୍ଥର କି ତୀବ୍ର ନୁହେଁ। ଉଭୟ ନିର୍ଦ୍ଦେଶକ ଏବଂ ମୁଖ୍ୟ କଳାକାର ମନମୋହନ ମହାପାତ୍ର ଓ ମିହିର ଦାସ ଆଜି ଆମ ଗହଣରେ ଶଶରୀରେ ନାହାଁନ୍ତି, ମାତ୍ର ଉଭୟଙ୍କ କଳାକାର ଜୀବନର ଶେଷ ନିଷ୍କର୍ଷ ‘କଞ୍ଚାଲଙ୍କା’ ଓଟିଟି ମାଧ୍ୟମରେ ଦର୍ଶକଙ୍କୁ ଉପହାର ଦେଇ ଦୁଇ ଆତ୍ମାଙ୍କୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଦେବାକୁ ପ୍ରଯୋଜକ ଅକ୍ଷୟ ପରିଜା ପ୍ରୟାସ କରିଛନ୍ତି ବୋଲି କହିଛନ୍ତି ଏହାର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ।
ମନ ମୋହନ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଏହା ଶେଷ ଚଳଚ୍ଚିତ୍ର। ଜାନୁଆରୀ ୧୩ରୁ ଏହାକୁ ଜନସାଧାରଣ ଦେଖି ପାରିବେ ।

Leave A Reply

Your email address will not be published.