ନୂଆଦିଲ୍ଲୀ(ଆମ ଟିଭି): ଦିନକୁ ଦିନ ଆପ୍ ର ସଙ୍କଟ ବଢିବାରେ ଲାଗିଛି । ଗତ କିଛି ଦିନ ତଳେ ମନୀଷ ସିସୋଦିଆଙ୍କୁ ନେଇ ବିବାଦ ବଢିଥିବା ବେଳେ ଆଜି ପୁଣି ଏକ ବଡ଼ ସଙ୍କଟ ଛିଡ଼ା ହୋଇଛି । ଦିଲ୍ଲୀରେ ସରକାରରେ ଥିବା ଆପ୍ ଓ ବିଜେପି ମଧ୍ୟରେ ଅବକାରୀ ନୀତିକୁ ନେଇ ଚାଲିଥିବା ବିବାଦ ଘନେଇବାରେ ଲାଗିଛି । ଏହାମଧ୍ୟରେ ଆପ୍ ଅଭିଯୋଗ କରିଛି ଯେ, ବିଜେପି ଦିଲ୍ଲୀରେ ଆପ୍ ସରକରାକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । କାରଣ ଅନେକ ଆପ୍ ବିଧାୟକଙ୍କ ସହ ସମ୍ପର୍କ ପ୍ରତିଷ୍ଠା ହୋଇପାରୁ ନାହିଁ ।
ଦଳର ସୂତ୍ରାନୁସାରେ, ଆଜି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସଭବନରେ ଆପ୍ ବିଧାୟକ ଦଳ ବୈଠକ ବସୁଛି । କିନ୍ତୁ ଅନେକ ବିଧାୟକ ଏଥିରେ ଉପସ୍ଥିତି ନାହାଁନ୍ତି । କିଛି ବିଧାୟକଙ୍କ ସହ କୌଣସି ଯୋଗାଯୋଗ ସମ୍ଭବ ହୋଇପାରୁନି । ଏବେସୁଦ୍ଧା ବୈଠକରେ ୫୦ ଜଣ ବିଧାୟକ ଉପସ୍ଥିତ ଥିବା ସୂଚନା ମିଳିଛି । କିନ୍ତୁ ପ୍ରଥମେ ମାତ୍ର ୨୪ ବିଧାୟକ ବୈଠକରେ ପହଁଚିଥିଲେ। ଆପ୍ ବିଧାୟକ ଅତିଶି ମାଲେନା ଅଭିଯୋଗ କରିଛନ୍ତି ଯେ, ବିଜେପି ଦିଲ୍ଲୀରେ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି । ବିଧାୟକଙ୍କୁ ଟଙ୍କା ଲୋଭ ଦେଖାଯାଉଛି । ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧମକ ଦିଆଯାଉଛି ।