୨୦ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର: ସଂପ୍ରତି ମୌସୁମୀ ଚାପ ରେଖାର ପୂର୍ବ ଭାଗ ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ରହୁଥିବାରୁ ତଥା ଓଡିଶା ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାରୁ, ଗତ ଦୁଇ ତିନି ଦିନ ଧରି ରାଜ୍ୟରେ ଦୃଷ୍ଟାନ୍ତ ମୂଳକ ଭାବେ ବର୍ଷାର ପରିମାଣ କମିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨.୧ମିମି ବର୍ଷା ରେକର୍ଡ କରାଯାଇଛି; ଯାହା ସ୍ୱାଭାବିକ ବର୍ଷା ୯.୨ ମିମି ତୁଳନାରେ ୭୭% କମ ରହିଛି। ଚଳିତ ମୌସୁମୀ ଋତୁରେ, ୧ ଜୁନରୁ ଆଜି ୧୦ ଜୁଲାଇ ମଧ୍ୟରେ ରାଜ୍ୟରେ ୨୨୨.୭ ମିମି ବର୍ଷା ରେକର୍ଡ କରାଯାଇଛି; ଯାହା ସ୍ୱାଭାବିକ ବର୍ଷା ୩୦୪.୨ ମିମି ତୁଳନାରେ ୨୭ ପ୍ରତିଶତ କମ ରହିଛି।
ଏହି ଅବଧି ମଧ୍ୟରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୪୫୨.୪ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୪୮% ଅଧିକ ରହିଛି। ସେହିପରି କଳାହାଣ୍ଡି ଜିଲ୍ଲାରେ ୧୨୩.୮ ମିମି ସହ ସବୁଠାରୁ କମ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି; ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୬% କମ ରହିଛି।
ତେବେ, ମୌସୁମୀ ନିମ୍ନ ଚାପ ରେଖା ଆଜି (ସୋମବାର) ରାଜସ୍ଥାନର ବିକେନାରରୁ ବାହାରି, ଉତ୍ତର-ପୂର୍ବ ରାଜସ୍ଥାନ ଉପରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ରର କେନ୍ଦ୍ର ଦେଇ ଲକ୍ଷ୍ନୌ, ବିହାରର ପାଟନାରୁ ପୂର୍ବଦିଗରେ ମଣିପୁର ଯାଏଁ ଲମ୍ବିଛି। ଏହା ବାୟୁମଣ୍ଡଳରେ ୩.୧ କିଲୋମିଟର ଉଚ୍ଚତା ଯାଏଁ ସକ୍ରିୟ ରହିଛି।