ପ୍ରଣୟଙ୍କ ମିଶନ୍ ସଞ୍ଜିବନୀ…
କୋଭିଡ-୧୯ର ପ୍ରଥମ ଲହରି ଆମକୁ ଦେଇଥିଲା ଖୋଲା ଚେତାବନୀ । କରୋନା ଭାଇରସର ଚେତାବନୀକୁ ଅଣଦେଖା କରିବା ଏବେ ସମଗ୍ର ବିଶ୍ୱ ସମେତ ଭାରତକୁ ମଧ୍ୟ ମହଙ୍ଗା ପଡିଛି । ଟ୍ରିପଲ୍ ମ୍ୟୁଟାଣ୍ଟ କୋଭିଡ୍-୧୯କୁ ଆମେ ଦ୍ୱିତୀୟ ଲହରି ଭାବେ ଜାଣିଛୁ । ଏହି ଭାଇରସ୍ ଆମ ସମସ୍ତଙ୍କ ଜୀବନ ଜୀବିକାକୁ ଦୋହଲାଇଦେଇଛି ।
ସିନେମା ବନ୍ଦ, ଠପ୍ ପଡିଛି ଚଳଚ୍ଚିତ୍ର ଜଗତ । ସେପଟେ ରେଷ୍ଟୁରାଣ୍ଟ ଖୋଲିବା ନେଇ ନାନା କଟକଣା । ସ୍କୁଲ କଲେଜ ବି ଅନିିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିଛି । ଚଳଚ୍ଚିତ୍ର ହେଉ କି ସିରିଅଲ୍ ଜଗତ । କଳାକାରଙ୍କଠାରୁ ଆରମ୍ଭ କରି ପ୍ରଯୋଜକ ଓ କୃଷକଠୁ ଆରମ୍ଭ କରି ବ୍ୟବସାୟୀ, ସମସ୍ତେ ଅନିଶ୍ଚିତତା ଘେରରେ ।
ଏମିତି ଏକ ଘଡିସନ୍ଧି ସମୟରେ ନଇବଢିରେ କୁଟାଖିଅ ସାହା ଭଳି ଓଲିଉଡର ଜଣାଶୁଣା ମିଡିଆ ପ୍ଲାନର୍ ପ୍ରଣୟ ଜେଠୀ ଆଗେଇ ଆସିଛନ୍ତି । “ମିଶନ ସଂଜିବନୀ” ମାଧ୍ୟମରେ ଓଡିଶାବାସୀଙ୍କୁ ବାଣ୍ଟୁଛନ୍ତି କରୋନା ସଚେତନତାର ବାର୍ତ୍ତା । ଜଣାଶୁଣା ଡାକ୍ତର, କଳାକାର, ସମାଜସେବୀ, ସାମ୍ବାଦିକଙ୍କ ପ୍ରୋତ୍ସାହନ ବାର୍ତ୍ତା ଓ କିଛି ଉପଦେଶ ସଂଗ୍ରହ କରି ଆମ ଟିଭି ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ କରୋନାର ଭୟାବହତା ସଂପର୍କରେ ଜଣାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।
ଏହି ମିଶନରେ ସାଥୀ ହୋଇଥିବା ଓଡିଶାର ସୁନାମଧନ୍ୟ ଡାକ୍ତର ଆଲୋକ କାନୁନ୍ଗୋ, ଡା. ସୁନୀଲ କୋଟା, ଡା. ବୃଷଭାନୁ କରନ୍, ନ୍ୟୁଜ ଆଙ୍କର ଶ୍ରୀବତ୍ସ ଧଳ, ଅଭିନେତ୍ରୀ ଭୂମିକା, ଅନୁ ଚୌଧୁରୀ ଓ ଶୀତଲ ପାତ୍ର କରୋନାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି ।