ଚଳଚ୍ଚିତ୍ର ଅନନ୍ତା ଦେଖି ଟ୍ୟାକ୍ସ ଫ୍ରି ହେବା ଆବଶ୍ୟକ କହିଲେ ବିଧାୟକ ବାବୁ ସିଂ

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁବର୍ଣ୍ଣ ଯୁଗ ଫେରିଛି l ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ଯୁବପିଢ଼ିଙ୍କର ଲମ୍ବା ଧାଡି ଲମ୍ବିଛି l ପ୍ରେକ୍ଷାଳୟ ଭିତରେ ବାହାରେ ସବୁଠି ଗହଳି l ରଜ ପରେବି ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏବଂ ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଜନଗହଳି ସେଇ ସୁବର୍ଣ୍ଣ ଯୁଗକୁ ଫେରେଇ ଆଣିଛି l ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ “ରାଣ୍ଡୀପୁଅ ଅନନ୍ତା” ଅବଲମ୍ବନର କାହାଣୀକୁ ନେଇ ନିର୍ମାଣ ହୋଇଥିବା ଚଳଚ୍ଚିତ୍ର ଅନନ୍ତା ଦୁଇ ସପ୍ତାହ ଧରି ହାଉସଫୁଲ ଚାଲିଥିବା ବେଳେ, ମହାରାଜା ସିନେମା ହଲ୍ ରେ ଶହଶହ ଦର୍ଶକମାନଙ୍କ ଗହଣରେ ବସି ଏକାମ୍ର, ଭୁବନେଶ୍ୱରର ମାନ୍ୟବର ବିଧାୟକ ବାବୁ ସିଂହ, ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ, ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର ଙ୍କ ସମେତ ଅନେକ ଯୁବନେତା ଏକାଠି ବସି ସମ୍ପୂର୍ଣ୍ଣ ଅନନ୍ତା ଚଳଚ୍ଚିତ୍ର ଦେଖିଥିଲେ।

ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏବଂ ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ଯ ଉପସ୍ଥିତ ଥିଲେ। ଦର୍ଶକଙ୍କ ସମେତ ବିଧାୟକ ବାବୁ ସିଂ ମଧ୍ୟ ଚଳଚ୍ଚିତ୍ର ଦେଖି ଭାବ ବିହ୍ଵଳ ହୋଇଥିଲେ ଏବଂ ନିର୍ମାତା, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀଙ୍କ ସମେତ ଚଳଚ୍ଚିତ୍ରର ସମସ୍ତ ବିଭାଗରେ କାମ କରିଥିବା କର୍ମକର୍ତ୍ତାଙ୍କର ଭୁରିଭୁରି ପ୍ରଶଂସା କରିଥିଲେ l ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଓଡ଼ିଆ ଅସ୍ମିତା ର କଥା ହୋଇଥିବାରୁ ଏହା ସରକାରୀ ସ୍ତରରେ ପ୍ରୋତ୍ସାହନ ପାଇବା ତଥା ଟାକ୍ସ ଫ୍ରି ହେବା ଦିଗରେ ତାଙ୍କ ତରଫରୁ ଚେଷ୍ଟା କରିବା କଥା କହିଥିଲେ l ପ୍ରାୟ ୧୧୩ ବର୍ଷ ତଳର ଗପ କୁ ୨୦୨୫ ମସିହାରେ, ସେ ସମୟର ପରିବେଶ, ପରିସ୍ଥିତିକୁ ପରିକଳ୍ପନା କରି ଚଳଚ୍ଚିତ୍ର ନିର୍ମାଣ କରି ସଠିକ ନ୍ୟାୟ ଦେଇଥିବାରୁ ନିର୍ମାତାଙ୍କୁ ପ୍ରଶଂସା କରିଥିଲେ l ଆମ ମାଟିର କଥାକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହୋଇଥିବାରୁ ଅଧିକ ରୁ ଅଧିକ ଦର୍ଶକ ଙ୍କୁ ଅନନ୍ତା ଚଳଚ୍ଚିତ୍ର ଦେଖିବାକୁ ଗଣମାଧ୍ୟମ ମାଧ୍ୟମରେ ଅନୁରୋଧ କରିଥିଲେ l

Leave A Reply

Your email address will not be published.