ବାଣପୁର (ଆମ ଟିଭି): ଜେଲରୁ ମୁକୁଳିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଗତକାଲି ସେ ସୁପ୍ରିମକୋର୍ଟରୁ ବେଲ୍ ପାଇଥିଲେ । ସେ ବାଣପୁର ସବଜେଲ୍ରେ ଗତ ମାର୍ଚ୍ଚ ୨୨ତାରିଖରୁ ବନ୍ଦୀ ଜୀବନ ବିତାଉଥିଲେ। ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରି ବର୍ଷକ ପାଇଁ ନିଜ ନିର୍ବାଚନମଣ୍ଡଳୀକୁ ନ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅବଶ୍ୟ ଜିଲ୍ଲାପାଳଙ୍କ ଅନୁମତି ନେଇ ସେ ନିର୍ବାଚନମଣ୍ଡଳୀ ଯାଇପାରିବେ ବୋଲି କୋର୍ଟ କହିଛନ୍ତି । କିନ୍ତୁ କୌଣସି ରାଜନୀତିକ ସଭା କିମ୍ବା ୫ଜଣରୁ ଅଧିକ ଲୋକଙ୍କୁ ନେଇ ସେ ବୈଠକ କରିପାରିବେ ନାହିଁ ଗାଇଡ଼ଲାଇନ ରହିଛି।
ଗତ ମାର୍ଚ୍ଚ ୧୨ତାରିଖରେ ବାଣପୁର ବ୍ଲକ ଅଫିସ୍ ବାହାରେ ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନବେଳେ ସେ ନିଜ ଏସୟୁଭି ଗାଡ଼ିକୁ ଉପସ୍ଥିତ ଲୋକଙ୍କ ଉପରେ ଚଢ଼ାଇ ଦେଇଥିଲେ । ଏଥିରେ ପୁଲିସ କର୍ମଚାରୀଙ୍କ ସମେତ ପ୍ରାୟ ୨୨ଜଣ ଲୋକ ଆହତ ହୋଇଥିଲେ । ଉତ୍ତ୍ୟକ୍ତ ଲୋକେ ତାଙ୍କୁ ମାରପିଟ୍ କରି ରକ୍ତାକ୍ତ ମଧ୍ୟ କରିଦେଇଥିଲେ । ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା ଓ ସେ ସୁସ୍ଥ ହେବାପରେ ପୁଲିସ ତାଙ୍କୁ ମାର୍ଚ୍ଚ ୨୨ତାରିଖରେ ଗିରଫ କରି ଜେଲ୍ ପଠାଇଥିଲା । ଓଡ଼ିଶା ପୁଲିସ ତାଙ୍କର ଜାମିନ ଆବେଦନକୁ ଦୃଢ଼ ବିରୋଧ କରିଥିଲା ।
Prev Post