ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି
ଭୋପାଳ : ସମାନ ନାଗରିକ ସଂହିତା(ୟୁସିସି)କୁ ନେଇ ଏବେ ବିତର୍କ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶରେ ବିଜେପିର ‘ମେରା ବୁଥ୍ ସବ୍ସେ ମଜବୁତ’ କାର୍ଯ୍ୟକ୍ରମରେ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଦେଶରେ ସମାନ ନାଗରିକ ସଂହିତା ଲାଗୁ ହେବ ବୋଲି ସଙ୍କେତ ଦେବା ପରେ ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ଆକ୍ରମଣାତ୍ମକ ଭୂମିକା ଗ୍ରହଣକରିଛନ୍ତି। ମୋଦୀ କହିଛନ୍ତି, ଦେଶରେ ସମାନ ନାଗରିକ ସଂହିତାକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି। ଭୋଟ୍ବ୍ୟାଙ୍କ ରାଜନୀତି ପାଇଁ ଏହି ପ୍ରସଙ୍ଗରେ ମୁସ୍ଲିମମାନଙ୍କୁ ଉତ୍ତେଜିତ କରାଯାଉଛି । ସିଭିଲ୍ କୋଡ୍ ନାମରେ ଦେଶରେ ଗୋଟିଏ ଘରେ ଦୁଇଟି ଆଇନ ଚାଲି ପାରିବ ନାହିଁ । ଭାରତର ସମ୍ବିଧାନ ମଧ୍ୟ ନାଗରିକଙ୍କ ସମାନ ଅଧିକାରକୁ ନେଇ ସ୍ପଷ୍ଟ କରିଦେଇଛି। ଆଇନ କମିସନଙ୍କ ପକ୍ଷରୁ ୟୁସିସି ନେଇ ପରାମର୍ଶ ମଗାଯିବା ପରେ ଏହା ଚର୍ଚ୍ଚାରେ ଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ରାଜନୀତି ସରଗରମ ହୋଇଛି। ପ୍ରଧାମନ୍ତ୍ରୀ କହିଛନ୍ତି ଯେ ବିଜେପି ଭୋଟ୍ ବ୍ୟାଙ୍କ ରାଜନୀତି ଏବଂ ତୁଷ୍ଟୀକରଣର ରାସ୍ତାରେ ଯିବନାହିଁ ବୋଲି ନିଷ୍ପତ୍ତି ନେଇଛି। ସୁପ୍ରିମକୋର୍ଟ ବି ୟୁସିସିକୁ ସମର୍ଥନ କରିଛନ୍ତି। କିନ୍ତୁ ଯେଉଁମାନେ ଭୋଟ୍ ବ୍ୟାଙ୍କ ରାଜନୀତି କରୁଛନ୍ତି ସେମାନେ ଏହାର ବିରୋଧ କରୁଛନ୍ତି।
ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେଇ ମୋଦୀ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ତିନି ତଲାକ ପ୍ରସଙ୍ଗରେ ମୋଦୀ କହିଛନ୍ତି, ଯଦି ତିନି ତଲାକ ଇସଲାମରୁ ଅଲଗା ହେବନି ତେବେ ମୁସଲିମ ବହୁଳ ରାଷ୍ଟ୍ର ଇଜିପ୍ଟ, ଇଣ୍ଡୋନେସିଆ, କତାର, ଜୋର୍ଡାନ, ସିରିୟା, ବାଂଲାଦେଶ ଏବଂ ପାକିସ୍ତାନରେ କାହିଁକି ଏହା ଉଚ୍ଛେଦ ହୋଇସାରିଛି। ମୋଦୀ କହିଛନ୍ତି, ଇଜିପ୍ଟରେ ୯୦ ପ୍ରତିଶତ ଜନସଂଖ୍ୟା ହେଉଛନ୍ତି ସୁନ୍ନି ମୁସଲିମ। ସେମାନେ ୮୦-୯୦ ବର୍ଷ ପୂର୍ବରୁ ତିନି ତଲାକ ଉଚ୍ଛେଦ କରି ସାରିଛନ୍ତି। ଯେଉଁମାନେ ତିନି ତଲାକ ପାଇଁ ଓକିଲାତି କରୁଛନ୍ତି ସେମାନେ ଭୋଟ୍ ପାଇଁ ବିକଳ। ମୁସଲିମ ଝିଅମାନଙ୍କ ପ୍ରତି ସେମାନେ ଅନ୍ୟାୟ କରୁଛନ୍ତି। ତିନି ତଲାକ କେବଳ ଜଣେ ମହିଳାଙ୍କୁ ଚିନ୍ତାଗ୍ରସ୍ତ କରୁନି ବରଂ ପୂରା ପରିବାରକୁ ନଷ୍ଟ କରିଦେଉଛି। ତଥାପି କିଛି ଲୋକ ଅଛନ୍ତି ଯେଉଁମାନେ ତିନି ତଲାକକୁ ସମର୍ଥନ କରୁଛନ୍ତି। ସେଥିପାଇଁ ମୁସଲିମ ଭଉଣୀ ଏବଂ ଝିଅମାନେ ଆଜି ବିଜେପି ସହ ଠିଆ ହୋଇଛନ୍ତି। ମୋଦୀ କହିଛନ୍ତି, ଭାରତୀୟ ମୁସଲିମମାନେ ବୁଝିବା ଉଚିତ ଯେ କେଉଁ ରାଜନୈତିକ ଦଳମାନେ ନିଜର ଲାଭ ପାଇଁ ସେମାନଙ୍କୁ ଧ୍ବଂସ ଆଡ଼କୁ ଠେଲି ଦେଉଛନ୍ତି।