ରାତି ଅଧରେ ମୋଦି-ଡୋଭାଲ ବୈଠକ, ଆଜି ପାକିସ୍ତାନ ଉପରେ ହେବ ବଡ଼ ଆଟାକ୍!
ପୁଣି ୩ୟ ରାତିରେ ଆଟାକ୍ କରିଛି ପାକିସ୍ତାନ। ସୀମାରେ ତୁହାକୁ ତୁହା ଡ୍ରୋନ ଓ ମିସାଇଲ ମାଡ କରିଛି ପାକ୍। ପାକ୍କୁ ମଧ୍ୟ ଜୋରଦାର ଜବାବ ଦେଉଛି ଭାରତୀୟ ବାୟୁସେନା। ତେବେ ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି। ଯେଉଁଥିରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଏବଂ ବୈଦେଶିକ ସଚିବ ବିକ୍ରମ ମିଶ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକ ଭାରତ-ପାକିସ୍ତାନ ସୀମାରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ପାକିସ୍ତାନର ଆକ୍ରମଣାତ୍ମକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଅନୁଷ୍ଠିତ ହୋଇଛି।
ସୂଚନା ଅନୁଯାୟୀ, ପାକିସ୍ତାନ ଜମ୍ମୁ ଓ କଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନର ବିଭିନ୍ନ ଅଞ୍ଚଳରେ ଡ୍ରୋନ ଏବଂ ମିସାଇଲ ଆକ୍ରମଣ ଜାରି ରଖିଛି। ଏହାର ପ୍ରତିକ୍ରିୟାରେ ଭାରତୀୟ ସଶସ୍ତ୍ର ବାହିନୀ ଦୃଢ଼ ପ୍ରତିକାର କରିଛି ଏବଂ ଅନେକ ପାକିସ୍ତାନୀ ଡ୍ରୋନକୁ ଧ୍ୱଂସ କରିଛି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ, ଭାରତର ଉଦ୍ଦେଶ୍ୟ ପରିସ୍ଥିତିକୁ ଉତ୍ତେଜିତ କରିବା ନୁହେଁ, କିନ୍ତୁ ଯଦି ପାକିସ୍ତାନ ପକ୍ଷରୁ ଆହୁରି ଆକ୍ରମଣ ହୁଏ, ତାହାର ଦୃଢ଼ ଜବାବ ଦିଆଯିବ।