୨୨ରେ ୧୦ ଲକ୍ଷ ନିଯୁକ୍ତି ଦେବେ ମୋଦୀ ସରକାର

0

ନୂଆଦିଳ୍ଲୀ (ଆମ ଟିଭି): ସବୁଠି ଏବେ ବେକାରୀକୁ ନେଇ ଚିନ୍ତା । ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ମଧ୍ୟ ବିରୋଧୀ ଘେରୁଛନ୍ତି । ଏହାରି ଭିତରେ ମୋଦୀ ଦୀପାବଳି ପୂର୍ବରୁ ଯୁବକମାନଙ୍କୁ ଏକ ବଡ଼ ଭେଟି ଦେବାକୁ ଯାଉଛିନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ରୋଜଗାର ମେଳା ଆୟୋଜନ ହେବାକୁ ଯାଉଛି। ଅକ୍ଟୋବର ୨୨ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ମେଳା ଆରମ୍ଭ ହେବ। ୧୦ଲକ୍ଷ କର୍ମଚାରୀଙ୍କ ପାଇଁ ଆରମ୍ଭ ହେବାକୁ ଥିବା ଏହି ନିଯୁକ୍ତି ଅଭିଯାନର ପ୍ରାରମ୍ଭରେ ୭୫ ହଜାର ବ୍ୟକ୍ତିଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ। ଏଥିପାଇଁ ସାରା ଦେଶରେ ସ୍ବତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଓଡ଼ିଶାର ନିଯୁକ୍ତି ପାଇବାକୁ ଥିବା ଯୁବକ/ଯୁବତୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଲାଗି କଟକ ସହିଦ ଭବନଠାରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି (ରାଷ୍ଟ୍ର) ମନ୍ତ୍ରୀ ବିଶେଶ୍ୱର ଟୁଡୁ କଟକ କାର୍ୟ୍ୟକ୍ରମରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଓ କେନ୍ଦ୍ର ରେଳମନ୍ତ୍ରୀ ଗୁଜୁରାଟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହେବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବତଟ ରେଳପଥ ପରିସୀମାରେ ରେଳବାଇର ବିଭିନ୍ନ ପଦବିରେ ୪୯୩ଜଣ ଯୁବକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ। ସେଥିରେ ୨୧୮ଆସିଷ୍ଟାଣ୍ଟ ଲୋକେ-ପାଇଲଟ୍(ଏଏଲପି), ୮୮ଜଣ କମ୍ପାସନେଟ୍ ଗ୍ରାଉଣ୍ଡ ନିଯୁକ୍ତି (ସିଜିଏ), ଷ୍ଟାଫ୍ ଆଣ୍ଡ ୱେଲଫେୟାର ଇନ୍ସପେକ୍ଟର(ଏସ ଆଣ୍ଡ ଡବ୍ଲୁଆଇ), କନିଷ୍ଠ କିରାଣୀ, ବରିଷ୍ଠ କିରାଣୀ, ମୁଖ୍ୟ ଆଇନ ସହାୟକ, ଜୁନିଅର୍ ହିନ୍ଦୀ ଅନୁବାଦକ, ଜୁନିଅର୍ ଷ୍ଟେନୋଗ୍ରାଫର୍, କ୍ରୀଡ଼ା ଓ ପାରା ମେଡିକାଲ ଷ୍ଟାଫ୍, ୨୪ ଜୁନିଅର୍ ଇଞ୍ଜିନିୟର, ୪୧ ଟେକ୍ନିସିଆନ୍ ଓ ୯୪ଟି ଲେଭେଲ-୧ ପଦବି ଅନ୍ତର୍ଭୁକ୍ତ ରହିଛି। ଏହି ନୂତନ ନିଯୁକ୍ତିରେ ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା କେନ୍ଦ୍ର ସରକାରଙ୍କ ୩୮ଟି ମନ୍ତ୍ରଣାଳୟ/ବିଭାଗରେ ଯୋଗଦେବେ।

Leave A Reply

Your email address will not be published.