ଇସ୍ରାଏଲ ସଂସଦରେ ଆତଙ୍କବାଦ ବିରୋଧରେ ଗର୍ଜିଲେ ମୋଦି, ହମାସ ଆକ୍ରମଣକୁ କଲେ ନିନ୍ଦା
ନୂଆଦିଲ୍ଲୀ (ଆମ ଟିଭି): ଇସ୍ରାଏଲ ସଂସଦରେ ଆତଙ୍କବାଦ ବିରୋଧରେ ଗର୍ଜିଲେ ମୋଦି । ଇସ୍ରାଏଲକୁ ଦେଲେ ବନ୍ଧୁତାର ବର୍ତ୍ତା । କହିଲେ ଭାରତ-ଇସ୍ରାଏଲର ଐତିହାସିକ ସଂପର୍କ କଥା । ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗସ୍ତର ପ୍ରଥମ ଦିନ ଇସ୍ରାଏଲ ସଂସଦକୁ ସମ୍ବୋଧିତ କରିଛନ୍ତି । ଏହା ତାଙ୍କ ପାଇଁ ସମ୍ମାନ ବୋଲି କହିଛନ୍ତି ମୋଦି । ଏକ ପୁରାତନ ସଭ୍ୟତା ଅନ୍ୟ ଏକ ପୁରାତନ ସଭ୍ୟତାକୁ ସମ୍ବୋଧନ କରୁଛି। ଇସ୍ରାଏଲ୍ ସଂସଦକୁ ସମ୍ବୋଧିତ କରିବାରେ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ଏହା ଦୁଇ ଦେଶର ବନ୍ଧୁତା ପାଇଁ ଏକ ଗର୍ବର ବିଷୟ ବୋଲି ମୋଦି କହିଛନ୍ତି । ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ସେ ଇସ୍ରାଏଲ୍ କୁ ଶୁଭେଚ୍ଛା ଓ ସମ୍ମାନର ବାର୍ତ୍ତା ଜଣାଇଛନ୍ତି । ଭାରତ ୧୯୫୦ ମସିହାରେ ଇସ୍ରାଏଲ୍ କୁ ସ୍ୱୀକୃତି ଦେଇଥିଲା, ସେହିଦିନ ମୋଦୀ ଜନ୍ମଗ୍ରହଣ କରିଥିଲେ । ଏହା ଏକ ସାଙ୍କେତିକ ସଂଯୋଗ ବୋଲି ମୋଦି ଉଲ୍ଲେଖ କରିଛନ୍ତି ।
୨୦୨୩ ମସିହା ଅକ୍ଟୋବର ୭ ତାରିଖରେ ହାମାସ ଆକ୍ରମଣକୁ ମୋଦି କଡ଼ା ନିନ୍ଦା କରିଛନ୍ତି । ଆତଙ୍କବାଦର କୌଣସି ଯଥାର୍ଥତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । “ଭାରତ ସବୁବେଳେ ଇସ୍ରାଏଲ୍ ସହ ଦୃଢ଼ ଭାବେ ଛିଡ଼ା ହୋଇଛି,”। ମୋଦୀଙ୍କ ଏହି କଥା ପୂରା ସଂସଦ ଛିଡ଼ା ହୋଇ ତାଙ୍କୁ ସମ୍ମାନ ଜଣାଇଥିଲା । ଆତଙ୍କବାଦର ଯନ୍ତ୍ରଣା କ’ଣ, ତାହା ଭାରତ ଭଲ ଭାବେ ବୁଝେ ବୋଲି ମୋଦି କହିଛନ୍ତି । କୌଣସି ଗୋଟିଏ ସ୍ଥାନରେ ଆତଙ୍କବାଦ ହେଲେ ତାହା ପୂରା ବିଶ୍ୱର ଶାନ୍ତି ପାଇଁ ବିପଦ ବୋଲି ମୋଦି ଚେତାବନୀ ଦେଇଛନ୍ତି । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଇସ୍ରାଏଲ୍ ମାଟିରେ ୪ ହଜାରରୁ ଅଧିକ ଭାରତୀୟ ସୈନ୍ୟ ପ୍ରାଣବଳି ଦେଇଥିବା କଥା ମୋଦି ମନେ ପକାଇଛନ୍ତି । ଗାଜା ଶାନ୍ତି ପ୍ରକ୍ରିୟାକୁ ମୋଦି ସମର୍ଥନ ଜଣାଇବା ସହ ଏହି ଅଞ୍ଚଳରେ ଶାନ୍ତି ଫେରିବା ପାଇଁ ଆଲୋଚନା ହିଁ ଏକମାତ୍ର ବାଟ ବୋଲି କହିଛନ୍ତି । ସେହିପରି ପ୍ରତିରକ୍ଷା, କୃଷି, ପ୍ରଯୁକ୍ତିବିଦ୍ୟା ଓ ସୁରକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଗଭୀର ହେବ ବୋଲି ମୋଦି ଆଶା ପ୍ରକାଶ କରିଛନ୍ତି । ଆଜି ଗସ୍ତର ଦ୍ବିତୀୟ ଦିନ ।