ବିଶ୍ୱର ଲୋକପ୍ରିୟ ନେତା ମୋଦୀ: ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂରେ ସବୁଠୁ ଆଗରେ
ନୂଆଦିଲ୍ଲୀ (ଆମ ଟିଭି): ବିଶ୍ୱ ଦରବାରରେ ପୁଣି ଚମକିଲେ ମୋଦୀ । ପୁଣି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ହେଲେ ନରେନ୍ଦ୍ର ମୋଦୀ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଅଲବେନେସ୍ ଭଳି ନେତାଙ୍କୁ ପଛରେ ପକାଇ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ମର୍ଣ୍ଣିଂ କନସଲ୍ଟ ପଲିଟିକାଲ ଇଣ୍ଟେଲିଜେନ୍ସ ଦ୍ୱାରା ଜାରି ଏହି ରିପୋର୍ଟ ୧୭ରୁ ୨୩ ଅଗଷ୍ଟ ୨୦୨୨ ମଧ୍ୟରେ ସଂଗୃହୀତ ସଦ୍ୟ ତଥ୍ୟ ଉପରେ ଆଧାରିତ। ଏହି ରିପୋର୍ଟର ଦ୍ୱିତୀୟ ସ୍ଥାନରେ ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେସ୍ ମାନୁଏଲ ଲୋପେଜ୍ ଓବ୍ରାଡୋର ଥିବା ବେଳେ ତୃୀତୟ ସ୍ଥାନରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଏଲବେନସ୍ ଅଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ପ୍ରତିଶତ ଲୋକଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ମାନୁଏଲ ଲୋପେଜଙ୍କୁ ୬୩ ପ୍ରତିଶତ ଲୋକେ ଭୋଟ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଏଲବେନସ୍ଙ୍କୁ ୫୮ ପ୍ରତିଶତ ଲୋକେ ପସନ୍ଦ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂ ପ୍ରତ୍ୟେକ ଦେଶରେ ୭ ଦିନ ଲେଖାଏଁ ଅନୁଷ୍ଠିତ ହୋଇଥିଲା। ଏଥିରେ ବୟସ୍କ ନାଗରିକଙ୍କ ଭୋଟ କରାଯାଇଥିଲା। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲୋକପ୍ରିୟ ନେତା ମନୋନୟନର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମେ ୨୦୨୦ରେ ପ୍ରଧାନମନ୍ତ୍ରୀ ମୋଦି ୮୪ ପ୍ରତିଶତ ଲୋକପ୍ରିୟତା ସହ ସୂଚୀର ପ୍ରଥମ ସ୍ଥାନ ହାସଲ କରିଥିଲେ। ଏମିତି ଅନେକ ଥର ସେ ଏଭଳି ବିଶ୍ୱର ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି ।