ପହଲଗାମ ନୁହେଁ ଆତଙ୍କୀଙ୍କ ଟାର୍ଗେଟରେ ଥିଲେ ମୋଦି, ଗସ୍ତ ବାତିଲ ହେବାରୁ ଫେଲ ମାରିଲା ପ୍ଲାନ

0

ନୂଆଦିଲ୍ଲୀ (ଆମ ଟିଭି): ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲାର ତଦନ୍ତ ଜାରି ରହିଛି। ଏହି ଘଟଣାର ତଦନ୍ତ କରୁଛି ଏନଆଇଏ। ତେବେ ତଦନ୍ତ ଭିତରେ ଗୁଇନ୍ଦା ରିପୋର୍ଟରେ ମିଳିଥିବା ସୂଚନା ସମସ୍ତଙ୍କୁ ଚମକାଇଦେଇଛି। ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ଯେ ଏହି ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟରେ ରଖିଥିଲେ।  ଏହି ହମଲା ପଛରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଓ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା (ଏଲଇଟି) ର ହାତ ରହିଛି। ଏହି ଘଟଣା ଏବେ ଭାରତ-ପାକିସ୍ତାନ ସମ୍ପର୍କକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଛି ଏବଂ ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ନୂଆ ପ୍ରଶ୍ନ ଉଠାଇଛି।

ମୋଦିଙ୍କୁ ଟାର୍ଗେଟ କରିବା ଥିଲା ମୂଳ ଉଦ୍ଦେଶ୍ୟ

ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଏପ୍ରିଲ ୧୯, ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଜମ୍ମୁ ଓ କଶ୍ମୀର ଗସ୍ତ ସମୟରେ ଏକ ବଡ଼ ହମଲାର ଯୋଜନା କରୁଥିଲେ ଏହି ଆତଙ୍କବାଦୀ। ମୋଦିଙ୍କ ଏହି ଗସ୍ତ ସମୟରେ ଏହି ଆକ୍ରମଣ କରିବାର ବଡ଼ ଯୋଜନା ରହିଥିଲା। କିନ୍ତୁ ଏହି କାର୍ଯ୍ୟକ୍ରମ ଅଚାନକ ସ୍ଥଗିତ ହୋଇଯିବା ଯୋଗୁ ଆତଙ୍କୀମାନେ ନିଜର ଯୋଜନା ବଦଳାଇ ପହଲଗାମର ବୈସରଣ ଉପତ୍ୟକାରେ ନିରୀହ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଏହି ନୃଶଂସ ହମଲା କରିଥିଲେ। ଏହି ଘଟଣାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ସହ ଅନେକେ ଆହତ ହୋଇଥିଲେ, ଯାହା ଦେଶକୁ ଗଭୀର ଭାବେ ଆଘାତ ଦେଇଛି

ଗୁଇନ୍ଦାର ବିଫଳତା ଓ ତଦନ୍ତରୁ ମିଳିଥିବା ସୂଚନା

ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ର ତଦନ୍ତରୁ ଜଣାପଡ଼ିଛି ଯେ, ହମଲାର କିଛି ଦିନ ପୂର୍ବରୁ ଗୁଇନ୍ଦା ସଂସ୍ଥାମାନେ ଶ୍ରୀନଗର ଏବଂ ଆଖପାଖ ଅଞ୍ଚଳରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆତଙ୍କୀ ହମଲାର ସମ୍ଭାବନା ଥିବା ସୂଚନା ପାଇଥିଲେ। କିନ୍ତୁ ଏହି ସୂଚନା ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ ନଥିବା ଯୋଗୁ ଏହି ହମଲାକୁ ପୂର୍ବରୁ ରୋକାଯାଇ ପାରି ନଥିଲା। ଏହା ଗୁଇନ୍ଦା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସାମ୍ନାକୁ ଆଣିଛି। ଏନଆଇଏ ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ହମଲାରେ ଜଡ଼ିତ ଚାରି ଆତଙ୍କୀ ମଧ୍ୟରୁ ଦୁଇଜଣ ଦକ୍ଷିଣ କଶ୍ମୀରର ଏବଂ ଅନ୍ୟ ଦୁଇଜଣ ପାକିସ୍ତାନୀ ନାଗରିକ ଥିଲେ। ଏହି ଆତଙ୍କୀମାନେ ପାକିସ୍ତାନର ଆଇଏସଆଇ ଓ ଏଲଇଟିର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.