୨୮ରେ ନୂଆ ସଂସଦ ଭବନ ଉଦଘାଟନ କରିବେ ମୋଦି
ନୂଆଦିଲ୍ଲୀ : ଆସନ୍ତା ୨୮ ତାରିଖରେ ଉଦଘାଟିତ ହେବ ସଂସଦର ନୂଆ ବିଲ୍ଡିଂ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଢାଞ୍ଚାରେ ତିଆରି ହୋଇଥିବା ବିଲ୍ଡିଂକୁ ଉଦଘାଟନ କରିବେ।
୪ ମହଲା ବିଶିଷ୍ଟ ନୂଆ ବିଲଡିଂକୁ ଅତ୍ୟନ୍ତ ଭବ୍ୟ କରିବା ପାଇଁ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ମଧ୍ୟରେ ୧୨୨୪ ଜଣ ସାଂସଦ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ମଧ୍ୟରେ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରଦର୍ଶନ କରିବା ପାଇଁ ଗୋଟିଏ ବିରାଟ ସମ୍ବିଧାନ ହଲ ତିଆରି କରାଯାଇଛି। ଖାଇବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧାସୁଯୋଗ ଏଠାରେ ରହିଛି।
ଆଜି ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ଏହି ସମୟରେ ସେ ତାଙ୍କୁ ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବାକୁ ନିମନ୍ତ୍ରଣ କରିଛନ୍ତି। ଭାରତ ସାକାର ଗୋଟିଏ ପ୍ରେସ ବିବୃତିରେ କହିଛନ୍ତି ଯେ ସଂସଦର ନୂଆ ବିଲ୍ଡିଂ ଆତ୍ମନିର୍ଭର ଭାରତର ଆତ୍ମା। ଏହାକୁ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ମେ’ ୨୮ ତାରିଖରେ ଲୋକାର୍ପଣ କରିବେ। ଏହାର ନିର୍ମାଣ କାମ ଏବେ ଶେଷ ହୋଇ ସାରିଛି। ଟାଟା ପ୍ରୋଜେକ୍ଟ ଲିଃ ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ବିଲ୍ଡିଂକୁ ମୋଦି ସରକାରଙ୍କ ୯ ବର୍ଷ ଶାସନ ପୂର୍ତ୍ତି ଅବସରରେ ଉଦଘାଟିତ କରାଯିବ ବୋଲି ପୂର୍ବରୁ କୁହାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହା ମେ’ ୨୬ରେ ଶପଥ ଗ୍ରହଣ କରିଥିଲେ। ତେଣୁ ୨୦୨୩ ମେ’ ୨୬ରେ ତାଙ୍କ ଶାସନକୁ ୯ ବର୍ଷ ପୂରିବ।
ଏହାକୁ ଅଧିକ ସ୍ମରଣୀୟ କରିବା ପାଇଁ ନୂଆ ଡିଜାଇନରେ ତିଆରି ହୋଇଥିବା ସଂସଦ ବିଲଡିଂକୁ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ସଂସଦର ନୂଆ ବିଲଡିଂ ୨୮ ତାରିଖରେ ଉଦଘାଟିତ ହେବ ବୋଲି ଆଜି ସ୍ପଷ୍ଟ ହୋଇଛି।