ନୂଆଦିଲ୍ଲୀ (ଆମ ଟିଭି): ମସଜିଦରେ ମୋହନ ଭାଗବତ । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଆଜି ‘ଆର୍ଏସ୍ଏସ୍’ର ମୁଖ୍ୟ ମୋହନ ଭାଗବତ ଦିଲ୍ଲୀର କେନ୍ଦ୍ରାଞ୍ଚଳରେ ଥିବା ଗୋଟାଏ ମସଜିଦକୁ ଯାଇ ‘ଅଲଇଣ୍ଡିଆ ଇମାମ୍ ଅର୍ଗାନାଇଜେସନ୍’ର ମୁଖ୍ୟ ମୌଲବୀ ଉମର୍ ଅହମଦ୍ ଇଲିୟାସିଙ୍କୁ ଭେଟିଛନ୍ତି। ପ୍ରାୟ ୧ ଘଣ୍ଟା ଧରି ଚାଲିଥିବା ଉଭୟଙ୍କ ସାକ୍ଷାତକୁ ‘କବାଟକୀଳା ବୈଠକ’ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ସାମ୍ପ୍ରଦାୟିକ ସହାବସ୍ଥାନ ସୁଦୃଢ଼ କରିବା ନିମନ୍ତେ କିଛି ଦିନ ହେବ ‘ଆରଏସଏସ୍’ର ମୁଖ୍ୟ ଭାଗବତ ଅନେକ ମୁସଲ୍ମାନ ବୁଦ୍ଧିଜୀବୀମାନଙ୍କ ସହିତ ଆଲୋଚନା କରୁଛନ୍ତି। ‘ଆରଏସଏସ୍’ର ମୁଖପାତ୍ର ସୁନୀଲ୍ ଅମ୍ବେକର୍ କହିଛନ୍ତି, ‘ଆରଏସଏସ୍’ ସର୍ସଙ୍ଘଚାଳକ ସମାଜର ସବୁ କ୍ଷେତ୍ରର ଲୋକଙ୍କୁ ଭେଟୁଛନ୍ତି।