ଭୁବନେଶ୍ୱର (ଆମ ଟିଭି): ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓଡ଼ିଶାରେ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା କମ୍ପାନୀ ଟାଟା ପାୱାର ଏବଂ ରାଜ୍ୟ ବିଜେପି ସରକାରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ସମସ୍ତ ବିଦ୍ୟୁତ ଉପଭୋକ୍ତା ନାହିଁ ନଥିବା ଶୋଷଣର ଶିକାର ହେଉଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି ।
ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କୁ ନିରବିଛିନ୍ନ ବିଦ୍ୟୁତ ଯୋଗାଣ ବିତରଣ କମ୍ପାନୀ ଟାଟା ପାୱାରର ମୁଖ୍ୟ ଦାଇତ୍ୱ ହୋଇଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଜନ ଜୀବନକୁ ଦୁର୍ବିସହ କରୁଛି । ପଞ୍ଚାନନ କାନୁନଗୋ ଏକ ହିସାବ ଦେଇ କହିଥିଲେ ଯେ ପ୍ରତ୍ୟେକ ଦିନ ହେଉଥିବା ଅଘୋଷିତ ବିଦ୍ୟୁତ କାଟକୁ ଯଦି ଯୋଗ କରାଯାଏ, ମାସକୁ ଅତି କମରେ ଗୋଟିଏ ଦିନ ସମ୍ପୂର୍ଣ ଭାବେ ଘର ଅନ୍ଧାର ରହୁଛି । ଅର୍ଥାତ ତିରିଶ ଦିନରେ ଗୋଟିଏ ଦିନ ସମ୍ପୂର୍ଣ ରୂପେ ବିନା ବିଜୁଳିରେ ଉପଭୋକ୍ତା ମାନଙ୍କୁ ସମୟ କାଟିବାକୁ ବାଧ୍ୟ କରାଯାଉଛି ଏବଂ ସେହି ମାସରେ ଗୋଟିଏ ଦିନର ବିଦ୍ୟୁତ ବିଲ କମ୍ପାନୀ ଅସୁଲ କରୁଛି ।
ଓଡ଼ିଶାରେ ସରକାର ସବୁଜାଣି ଅଜଣା ଭଳି ବ୍ୟବହାର କରୁଛନ୍ତି, ବର୍ତ୍ତମାନର ବିଜେପି ସରକାର ମଧ୍ୟ ପୂର୍ବ ବିଜେଡି ସରକାର ଭଳିଆ ଟାଟା ପାୱାର ହାତରେ ବନ୍ଧା ପଡିଛି । ଓଡ଼ିଶାରେ ୧ କୋଟିରୁ ଉର୍ଦ୍ଧ୍ବ ବିଦ୍ୟୁତ ଉପଭୋକ୍ତା ଅଛନ୍ତି ।
ବର୍ଷକୁ ବାର ଦିନ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ବ୍ୟବହାର କରୁ ନଥିବା ବିଦ୍ୟୁତ ଉପରେ ମଧ୍ୟ କମ୍ପାନୀ ବିଜୁଳି ବିଲ ଆଦାୟ କରୁଛି, ଯାହାକି ସମ୍ପୂର୍ଣ ବେଆଇନ ଅଟେ ।
ଆମ ରାଜ୍ୟର କୋଇଲା ଏବଂ ପାଣିରୁ ଉତ୍ପାଦିତ ହେଉଥିବା ବିଦ୍ୟୁତ ଶକ୍ତି ଯୋଗୁଁ ସମଗ୍ର ଦେଶରେ ଦ୍ଵିତୀୟ ସର୍ବାଧିକ ବିଦ୍ୟୁତ ଶକ୍ତି ଉତ୍ପାଦନକାରୀ ରାଜ୍ୟ ଭାବରେ ପରିଗଣିତ ହୋଇଛି । କିନ୍ତୁ ପରିତାପର ବିଷୟ ଓଡିଶା ଏକ ବିଦ୍ୟୁତ ବଳକା ରାଜ୍ୟ ଭାବେ ପରିଗଣିତ ହୋଇଥିଲେ ସୁଦ୍ଧା ଆମ ରାଜ୍ୟର ବିଦ୍ୟୁତ ଦେୟ ସର୍ବ ଭାରତୀୟ ସ୍ତରରେ ସବୁଠୁ ଅଧିକ । ଓଡ଼ିଶାରେ ୟୁନିଟ ପିଛା କ୍ରୟ ଦର ଟ ୨.୪୦ ପଇସା ହୋଇଥିବା ବେଳେ ବିକ୍ରୟ ଦର ଟ ୭.୬୦ ପଇସା ଯାହାକି ଦେଶର ସବୁଠୁ ବେଶୀ ।
ଓଡିଶାରୁ ଉତ୍ପାଦିତ ହେଉଥିବା ବିଦ୍ୟୁତ ଶକ୍ତି ୮୨ ପ୍ରତିଶତ କୋଇଲା, ୧୧ ପ୍ରତିଶତ ଜଳ ବିଦ୍ୟୁତ, ୪ ପ୍ରତିଶତ ଅକ୍ଷୟ ଶକ୍ତି ଏବଂ ୩ ପ୍ରତିଶତ ଅନ୍ୟାନ୍ୟ ସୂତ୍ରରୁ ମିଳେ । ଆଜିର ଦିନରେ ଟ୍ରାନ୍ସମିଶନ ଏବଂ ଡିସଟ୍ରିବ୍ୟୁସନ କ୍ଷତି ୪୧ ପ୍ରତିଶତ ରୁ କମି ୧୭ ପ୍ରତିଶତ ପହଞ୍ଚିବା ସତ୍ୱେ ବିଦ୍ୟୁତ ଦର କମିବାର ନାମ ନେଉନାହିଁ । ରାଜ୍ୟରେ ୯୦୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ଶକ୍ତି ଥିବାବେଳେ ୫୫୦୦ ମେଗାୱାଟ ଉତ୍ପାଦିତ ହେଉଅଛି ଏବଂ ୪୩୦୦ – ୪୭୦୦ ମେଗାୱାଟ ଖର୍ଚ୍ଚ ହେଉଛି । ଏସବୁ ସତ୍ୱେ କମ୍ପାନୀର ଦରବୃଦ୍ଧି ପ୍ରୀତିକୁ ରାଜ୍ୟ ସରକାର ଅନ୍ଧଭଳି ସମର୍ଥନ ଦେଉଥିବାରୁ କଂଗ୍ରେସ ଘୋର ବିରୋଧ କରୁଛି ବୋଲି ପଞ୍ଚାନନ କାନୁନଗୋ କହିଛନ୍ତି ।
ରାଜ୍ୟରେ ୧ କୋଟି ୩ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରୁ ମାତ୍ର ୩୬ ଲକ୍ଷ ଉପଭୋକ୍ତାଙ୍କର ବିଦ୍ୟୁତ ବ୍ୟବହାର ୨ କିଲୋୱାଟରୁ କମ । ଏନର୍ଜି ଚାର୍ଜେସ ନାମରେ କମ୍ପାନୀ ଆଦାୟ କରୁଥିବା ଅତିରିକ୍ତ ଦେୟ ହଟାଇବା ପାଇଁ ପଞ୍ଚାନନ କାନୁନଗୋ ଦୃଢ ଦାବୀ କରିଛନ୍ତି । ସ୍ମାର୍ଟ୍ ମିଟର ନାମରେ ସାଧାରଣ ଲୋକଙ୍କୁ ଶୋଷଣ କରାଯାଇଛି।
ପ୍ରଥମ ଥର ପାଇଁ ବିଦ୍ୟୁତ ସଂଯୋଗ କରୁଥିବା ଉପଭୋକ୍ତାଙ୍କ ଘର ଯଦି ଦୂରରେ ଅଛି ତେବେ ଖୁଣ୍ଟ, ତାର ଏବଂ ଅନୁଷାଙ୍ଗିକ ଜିନିଷ ପାଇଁ ଉପଭୋକ୍ତାଙ୍କ ଠାରୁ ଅର୍ଥ ଆଦାୟ କରାଯାଉଛି । ଯାହା ସେମାନଙ୍କ ଉପରେ ଏକ ଶକ୍ତ ବୋଝ ହେଉଛି । ମୁମ୍ବାଇ ଏବଂ ଦିଲ୍ଲୀ ଭଳି ଢାଞ୍ଚାରେ ରାଜ୍ୟ ସରକାର ୫୦ ପ୍ରତିଶତ, ବିତରଣ କମ୍ପାନୀ ୨୫ ପ୍ରତିଶତ ଏବଂ ବିଦ୍ୟୁତ୍ ଉପଭୋକ୍ତା ୨୫ ପ୍ରତିଶତ ଅନୁଷାଙ୍ଗିକ ଖର୍ଚ୍ଚ ବହନ କରନ୍ତୁ ବୋଲି ଶ୍ରୀ କାନୁନଗୋ କହିଛନ୍ତି ।
ପ୍ରଦେଶ କଂଗ୍ରେସ ତରଫରୁ ପଞ୍ଚାନନ କାନୁନଗୋ ରାଜ୍ୟ ସରକାରଙ୍କ ନିକଟରେ ୪ ଗୋଟି ଦାବୀ ଉପସ୍ଥାପନ କରିଛନ୍ତି…
୧) ଗ୍ରାମାଞ୍ଚଳରେ ଥିବା ସମସ୍ତ ପଞ୍ଚାୟତ, ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ, ସରକାରୀ ପାଣି ଟାଙ୍କି, ପଞ୍ଚାୟତ ରାସ୍ତା ଆଲୋକୀକରଣ ଆଦିର ବିଦ୍ୟୁତ ଖର୍ଚ୍ଚ ରାଜ୍ୟ ସରକାର ସମ୍ପୂର୍ଣ ବହନକରୁ ।
୨) ସ୍ମାର୍ଟ ମିଟରର ସମସ୍ତ ଖର୍ଚ୍ଚ ସରକାର କିମ୍ବା କମ୍ପାନୀ ବହନ କରୁ।
୩) ସର୍ବନିମ୍ନ ଶକ୍ତି ଦେୟ( ମିନିମମ୍ ଏନର୍ଜି ଚାର୍ଜେସ) କିଲୋୱାଟ ପିଛା ନିଆ ଯାଉଥିବା ୨୦ ଟଙ୍କା ଦରକୁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରନ୍ତୁ ଏବଂ ଏ ସଂକ୍ରାନ୍ତରେ କମ୍ପାନୀକୁ ସ୍ପଷ୍ଟ ନିର୍ଦେଶନାମା ଦିଅନ୍ତୁ ।
୪) ବିଦ୍ୟୁତ କମ୍ପାନୀର ପରିବହନ ଏବଂ ବିତରଣ ଖର୍ଚ୍ଚ ୪୧ ପ୍ରତିଶତ ରୁ ୧୭ ପ୍ରତିଶତ କମିଥିବା ହେତୁ ଉପଭୋକ୍ତାଙ୍କ ଠାରୁ ୟୁନିଟ ପିଛା ଦର କମ କରାଯାଉ ।
ବର୍ତ୍ତମାନ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ପ୍ରଚେଷ୍ଟାରେ କଂଗ୍ରେସ ଆଗେଇ ଚାଲିଛି । ଜନସାଧାରଣଙ୍କୁ କଂଗ୍ରେସ ଶୋଷଣ ହେବାକୁ ଦେବ ନାହିଁ ଏଥିପାଇଁ ଅବିରାମ ସଂଗ୍ରାମ କରିବ । ଏହା କଂଗ୍ରେସର ଲଢେଇ ନୁହଁ ଏହା ଜନସାଧାରଣଙ୍କ ଅଧିକାରର ଲଢେଇ ତେଣୁ ବିଦ୍ୟୁତ କମ୍ପାନୀର ଶୋଷଣ ବିରୁଦ୍ଧରେ ପ୍ରଚାର ପ୍ରସାର କରିବାକୁ କାନୁନଗୋ ଗଣମାଧ୍ୟମକୁ ନିବେଦନ କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସମେତ ପ୍ରଶାନ୍ତ ଶତପଥୀ, ନଳିନୀକାନ୍ତ ନାୟକ, ଦେବାଶିଷ ଭୂୟାଁ ଓ ଅମ୍ରିତା ଦାସ ମୁଖପାତ୍ରଗଣ ଉପସ୍ଥିତ ଥିଲେ ।