ଘରେ ପଶି ସାଂସଦଙ୍କୁ ହତ୍ୟା

0

କାବୁଲ: ଆଫଗାନିସ୍ତାନର ପୂର୍ବତନ ମହିଳା ସାଂସଦ ମୁରସ ନାବିଜାଦା ଓ ତାଙ୍କର ଜଣେ ବଡିଗାର୍ଡଙ୍କୁ ଅଜଣା ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ନାବିଜାଦା କାବୁଲ ସ୍ଥିତି ତାଙ୍କ ବାସଭବନରେ ଥିବା ବେଳେ ଏପରି ଘଟଣା ଘଟିଛି। ପୁଲିସ୍‌ ଏବେ ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

୨୦୨୧ ଅଗଷ୍ଟରେ ତାଲିବାନ ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିଲା। ଏହାପରେ ଅନେକ ମହିଳା ସାଂସଦ ଭୟରେ ଦେଶ ଛାଡ଼ି ଦେଇଥିଲେ। ତେବେ ଆଫଗାନରେ ସାହାସ ଦେଖାଇ ରହିଥିବା କିଛି ହାତ ଗଣତି ମହିଳା ସାଂସଦଙ୍କ ମଧ୍ୟରେ ନାବିଜାଦା ରହିଥିଲେ।

ଏବେ କିନ୍ତୁ ସେ ହତ୍ୟାର ଶିକାର ହୋଇଛନ୍ତି। ତାଲିବାନ କ୍ଷମତା ଦଖଲ କରିବା ପରେ ପୂର୍ବରୁ ସରକାରରେ ଥିବା କୌଣସି ସାଂସଦ ବା ଅଧିକାରୀଙ୍କୁ ହତ୍ୟା କରାଯାଇଛି। ପୁଲିସ୍‌ କହିଛି ଯେ ଭୋର ପ୍ରାୟ ୩ଟା ବେଳେ ନାବିଜାଦା ଓ ତାଙ୍କ ବଡିଗାର୍ଡଙ୍କୁ ହତ୍ୟା କରାଯାଇଛି।

ଉଭୟ ଗୋଟିଏ ରୁମରେ ଥିବା ବେଳେ ଦୁର୍ବୃତ୍ତମାନେ ଗୁଳି କରିଛନ୍ତି। ଏହି ଗୁଳିମାଡ଼ରେ ତାଙ୍କ ଭାଇ ଓ ଆଉ ଜଣେ ବଡିଗାର୍ଡ ଆହତ ହୋଇଛନ୍ତି। ତୃତୀୟ ବଡିଗାର୍ଡ ଜଣଙ୍କ ଘରେ ଥିବା ଟଙ୍କା ଓ ଅଳଙ୍କାର ନେଇ ଫେରାର ହୋଇଛନ୍ତି। ନାବିଜାଦା ତାଙ୍କ ବାସଭବନର ପ୍ରଥମ ମହଲାକୁ ଅଫିସ ଭାବେ ବ୍ୟବହାର କରୁଥିଲେ। ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ସବୁକଥା ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି।

Leave A Reply

Your email address will not be published.