ଏଣିକି ମୁସ୍‌ଲିମ୍‌ ବିଧାୟକଙ୍କୁ ମିଳିବ ନାହିଁ ‘Namaz Break

0

ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି। ବିଧାନସଭାରେ ଦଶନ୍ଧି ଧରି ଚାଲିଆସୁଥିବା ‘Namaz Break’ ଅର୍ଥାତ ‘ନମାଜ୍‌ ପାଇଁ ବିରତି’ ପରମ୍ପରାକୁ ସରକାର ସମାପ୍ତ କରିଛନ୍ତି। ଯଦିଓ ଏହି ନିଷ୍ପତ୍ତି ଗତ ବର୍ଷ ଅଗଷ୍ଟ ମାସରେ ନିଆଯାଇଥିଲା, ହେଲେ ବଜେଟ ଅଧିବେଶନ ସମୟରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ତେବେ ଆସାମ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବ୍ୟାପକ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି।

ସରକାରଙ୍କ ନିଷ୍ପତ୍ତି ନେଇ ଏଆଇୟୁଡିଏଫ୍‌ ବିଧାୟକ ରଫିକୁଲ ଇସଲାମ୍‌ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ‘ସଂଖ୍ୟା ଆଧାରରେ ଏହି ନିଷ୍ପତ୍ତି ଲାଗୁ କରାଯାଇଛି। ବିଧାନସଭାରେ ପ୍ରାୟ ୩୦ ଜଣ ମୁସଲିମ ବିଧାୟକ ଅଛନ୍ତି। ଆମେ ଏହି ପଦକ୍ଷେପ ବିରୋଧରେ ଆମର ମତ ପ୍ରକାଶ କରିଥିଲୁ, କିନ୍ତୁ ସେମାନଙ୍କ (ଭାଜପା) ପାଖରେ ସଂଖ୍ୟା ଅଛି ଏବଂ ସେହି ଆଧାରରେ ସେମାନେ ଏହାକୁ ଲାଗୁ କରୁଛନ୍ତି।’

କହିରଖୁଛୁ, ବାଚସ୍ପତି ବିଶ୍ୱଜିତ ଦୈମାରୀ ସମ୍ବିଧାନକୁ ଦୃଷ୍ଟିରେ ରଖି ପ୍ରସ୍ତାବ ଦେଇଥିଲେ ଯେ, ଆସାମ ବିଧାନସଭା ଅନ୍ୟ ଦିନ ପରି ଶୁକ୍ରବାର ମଧ୍ୟ ଏହାର କାର୍ଯ୍ୟ ପରିଚାଳନା କରିବା ଉଚିତ। ଏହି ନିୟମ କମିଟି ସମ୍ମୁଖରେ ରଖାଯାଇଥିଲା,ଯାହାକୁ କମିଟି ସର୍ବସମ୍ମତିକ୍ରମେ ଗୃହିତ କରିଛି।

ନିୟମ କ’ଣ ଥିଲା?

ଆସାମ ବିଧାନସଭାରେ ଲାଗୁ ଏହି ପରମ୍ପରା ଅନୁଯାୟୀ, ମୁସଲିମ ବିଧାୟକମାନଙ୍କୁ ଶୁକ୍ରବାର ନମାଜ ପାଠ କରିବା ପାଇଁ ଦୁଇ ଘଣ୍ଟାର ବିରତି ଦିଆଯାଉଥିଲା। ଏହାର ଅର୍ଥ ହେଉଛି ଏହି ସମୟ ମଧ୍ୟରେ ଗୃହର କୌଣସି କାର୍ଯ୍ୟ ହେଉ ନ ଥିଲା। ଏବେ ଏହାକୁ ବନ୍ଦ କରିଦିଆଯିବା ପରେ ବିରୋଧୀ ଦଳ ଗୃହର ଏହି ନିଷ୍ପତ୍ତିର ତୀବ୍ର ବିରୋଧ କରିଛନ୍ତି ଏବଂ ଏହାକୁ ସଂଖ୍ୟାଗରିଷ୍ଠଙ୍କ ସ୍ବେଚ୍ଛାଚାରିତା ବୋଲି କହୁଛନ୍ତି।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କ’ଣ କହିଛନ୍ତି?

ବିଧାନସଭାର ନିଷ୍ପତ୍ତି ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ନିଷ୍ପତ୍ତିକୁ ସ୍ବାଗତ କରି କହିଛନ୍ତି ଯେ, ଏହି ପରମ୍ପରା ୧୯୩୭ ମସିହାରେ ମୁସଲିମ ଲିଗ୍‌ର ସୟଦ ସାଦୁଲ୍ଲାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏବଂ ଏହି ବ୍ୟବସ୍ଥାକୁ ବନ୍ଦ କରିବାର ନିଷ୍ପତ୍ତି “ଉତ୍ପାଦନକୁ ପ୍ରାଥମିକତା ଦିଏ”।

ଏହାର ଜବାବରେ ବାଚସ୍ପତି ବିଶ୍ୱଜିତ ଦୈମାରୀ କହିଛନ୍ତି ଯେ ସମ୍ବିଧାନର ଧର୍ମନିରପେକ୍ଷ ନୀତି ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟ ଦିନ ପରି, ଶୁକ୍ରବାର ମଧ୍ୟ ଗୃହ ନମାଜ୍‌ ବିରତି ବିନା କାର୍ଯ୍ୟ କରିବ।

Leave A Reply

Your email address will not be published.