ଭୁବନେଶ୍ବର (ଆମ ଟିଭି): ଆଜି ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୁଷ ହକି ବିଶ୍ବକପ୍ ପ୍ରତିଯୋଗିତା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରାଯାଇଥିଲା। ପୁରୁଷ ବିଶ୍ବକପ୍ ହକି-୨୦୨୩ ଭୁବନେଶ୍ବର ଓ ରାଉରକେଲାରେ ୧୩ରୁ ୨୯ ଜାନୁଆରି ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ଏହି ମର୍ୟ୍ୟାଦାଜନକ ପ୍ରତିଯୋଗିତାରେ ବିଶ୍ବର ୧୬ଟି ଦଳ ଅଂଶଗ୍ରହଣ କରିବେ । ଭୁବନେଶ୍ବରରେ ୨୪ଟି ଓ ରାଉରକେଲାରେ ୨୦ଟି ମ୍ୟାଚ ଖେଳାଯିବ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ବିଶ୍ବକପ୍ ଆୟୋଜନର ବିଭିନ୍ନ କାର୍ୟ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ ।
ପ୍ରତିଯୋଗିତା ପାଇଁ ଭୁବନେଶ୍ବରର କଳିଙ୍ଗ ହକି ଷ୍ଟାଡିଅମ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲା ବେଳେ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିଅମ ନଭେମ୍ବର ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ସେ ସୂଚନା ଦେଇଥିଲେ। ଉଭୟ ଷ୍ଟାଡିଅମରେ ଆଷ୍ଟ୍ରୋ ଟର୍ଫ ଓ ଫ୍ଲଡ୍ ଲାଇଟ କାମ ଶେଷ ହୋଇଯାଇଛି । ଅଂଶଗ୍ରହଣକାରୀ ଦଳ ଓ ମ୍ୟାଚ ଅଫିସିଆଲମାନଙ୍କ ରହଣୀ ପାଇଁ ୨୨୫ଟି ରୁମ୍ ତିଆରି କାମ ଚାଲିଛି ଏବଂ ଏହା ମଧ୍ୟ ନଭେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ । ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ରାଉରକେଲା ଓ ଭୁବନେଶ୍ବର ସହରର ସୌନ୍ଦର୍ୟ୍ୟକରଣ କରାଯିବ। ସବୁ ବିଭାଗ ଏଥିପାଇଁ ପରସ୍ପର ମଧ୍ୟରେ ସମନ୍ବୟ ରଖି କାର୍ୟ୍ୟ କରୁଛନ୍ତି । ରାଉରକେଲା ବିମାନ ବନ୍ଦରରୁ ନିୟମିତ ବିମାନ ସେବା ଆରମ୍ଭ ହେବ । ତାସହିତ ଖେଳାଳି ଓ ମ୍ୟାଚ ଅଫିସିଆଲମାନଙ୍କ ଯାତାୟତ ପାଇଁ ସ୍ବତନ୍ତ୍ର ବିମାନ ବ୍ୟବସ୍ଥା କରାଯାଉଅଛି । ଏହି ଅବସରରେ ୧୦୦ଟି ନୂଆ ବସ୍ ସହିତ ରାଉରକେଲାରେ ମୋ ବସ୍ ସେବା ଆରମ୍ଭ ହେବ।