ବଢୁଛି ମିଆଁମାର ଭୂକମ୍ପ ମୃତ୍ୟୁସଂଖ୍ୟା; ୧୦୦୦ ଟପିଲା

0

ନୂଆଦିଲ୍ଲୀ (ଆମ ଟିଭି): ବଢୁଛି ମିଆଁମାର ଭୂକମ୍ପ ମୃତ୍ୟୁସଂଖ୍ୟା । ଏହାରି ଭିତରେ ହଜାରେ ଟପିଲାଣି ମୃତ୍ୟୁସଂଖ୍ୟା । ମିଆଁମାର ଭୂମିକମ୍ପରେ ଏଯାବତ୍ ୧୦୦୨ ଜଣଙ୍କ ମୃତଦେହ ଉଦ୍ଧାର କରାଗଲାଣି । ସେହିପରି ଭୂମିକମ୍ପରେ ୨୩୭୬ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।

ଏବେବି ଧ୍ବଂସାବଶେଷ ତଳେ ଆହୁରି ଅନେକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି। ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ ମୃତ୍ୟୁ ସଂଖ୍ୟା ୧୦ ହଜାର ପାର କରିବା ନେଇ ଅନୁମାନ କରାଯାଉଛି। ଗତକାଲିର ଏ ପ୍ରଳଙ୍କକାରୀ ବିପର୍ଯ୍ୟୟ ପରେ ମିଆଁମାରର ଜୁଣ୍ଟା ସରକାର ମୁଖ୍ୟ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି । ଅନ୍ୟପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ହୁ ପକ୍ଷରୁ ବହୁ ପରିମାଣର ମେଡିକାଲ ସାମଗ୍ରୀ ମିଆଁମାର ପଠାଯାଉଛି।

ଭୂକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ଏହା ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି । ଭାରତରେ ମେଘାଳୟ, ମଣିପୁର, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା । ବାଂଲାଦେଶ, ଭିଏତ୍‌ନାମ ଏବଂ ଚୀନ୍‌ର ଦକ୍ଷିଣପଶ୍ଚିମ ୟୁନାନ୍‌ ପ୍ରଦେଶରେ ମଧ୍ୟ ଭୂକମ୍ପର ତୀବ୍ର ଝଟ୍‌କା ଅନୁଭୂତ ହୋଇଥିଲା । ପ୍ରଥମ ଝଟ୍‌କା ଦିନ ୧୧ଟା ୫୦ରେ ଅନୁଭୂତ ହୋଇଥିଲା ଏବଂ ରିକ୍ଟର ସ୍କେଲରେ ଏହା ତୀବ୍ରତା ୭.୨ ରେକର୍ଡ଼ କରାଯାଇଥିଲା। ଏହାପରେ ଦ୍ଵିତୀୟ ଥର ପାଇଁ ଦିନ ୧୨ଟାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୭.୦ ରେକର୍ଡ଼ ହୋଇଥିଲା ।

Leave A Reply

Your email address will not be published.