ଭୁବନେଶ୍ୱର (ଆମ ଟିଭି): ଦୀର୍ଘଦିନ ପରେ ନବ ଦାସ ହତ୍ୟା ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ । ଗୃହରେ ଆଜି ନିଜ ବିବୃତିରେ ମୁଖ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପରେ ରାଜ୍ୟ ସରକାର ଏହାର ତଦନ୍ତ କ୍ଷେତ୍ରରେ ଏଯାବତ୍ ଗ୍ରହଣ କରିଥିବା ସମସ୍ତ ପଦକ୍ଷେପ ସଂପର୍କରେ ଗୃହକୁ ଅବଗତ କରିଥିଲେ। ଏଥିସହ ଏହି ସ୍ପର୍ଶକାତର ଘଟଣାର ରାଜନୀତୀକରଣ କରାଯାଉଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ବିଜେପି ଉପରେ ବର୍ଷିଥିଲେ।
ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କହିଥିଲେ ଯେ ଏହା ଅତ୍ୟନ୍ତଦୁଃଖଦାୟକ କି ପୂର୍ବତନ ମନ୍ତ୍ରୀଙ୍କ ହତ୍ୟାକାରୀ ଜଣେ ପୁଲିସ ଅଧିକାରୀ। ତେବେ ଏହି କାରଣରୁ ବିଜେପି ପକ୍ଷରୁ ସମଗ୍ର ପୁଲିସ ବାହିନୀକୁ ଯେଭଳି ଆକ୍ଷେପ କରାଯାଇ ମନ୍ତବ୍ୟ ଦିଆଯାଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ହେତୁ ପୂରା ପୁଲିସ ବାହିନୀର ମନୋବଳ ଉପରେ ନକାରାତ୍କମ ପ୍ରଭାବ ପଡ଼ୁଛି। ବିଜେପି ରାଜ୍ୟର ପୁଲିସ ବାହିନୀକୁ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରିବାକୁ ଉଦ୍ୟମ କରୁଛି। ସେହିପରି ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତି ଜଣେ କାର୍ୟ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ବି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଓଡ଼ିଶା ଏଭଳି ଲଜ୍ଜାଜନକ କାଣ୍ଡକୁ କଦାପି କ୍ଷମାଦେବ ନାହିଁ।